ବାରିପଦା : ମା’ ଟିଏ ଜନ୍ମ କରିଥାଏ ସନ୍ତାନକୁ, ମନରେ ଅସୁମାରୀ ସ୍ୱପ୍ନ ଥାଏ । ମା’ର ଯେ ବୃଦ୍ଧ କାଳର ତାଙ୍କର ଆଶାବାଡି ହେବେ ସେହି ସନ୍ତାନ ବଡ ହେଲାପରେ ଯେତେବେଳେ ବାପାମା’ଙ୍କୁ ପାସୋରି ଯାଏ ସେତେବେଳେ ସେ ବାପାମା’ହୋଇଯାନ୍ତି ଅସହାୟ । ଏହିପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ନୂଆଗାଁ ପଞ୍ଚାୟତର ସନ୍ୟାସୀ ଗ୍ରାମରେ । ଆଠବର୍ଷ ହେଲାଣୀ ମୁହଁଫେରି ଚାହିଁ ନାହାନ୍ତି ସନ୍ତାନମାନେ । ସେ ମା’ର କୋହ ଓ ବାପାର ଲୁହଭରା ଆଖିର ଲୁହ ପୋଛିବା ପାଇଁ ଦିନେ ବି ଆସିଲେନି ପୁଅମାନେ । ଦିନରାତି ଖରାବର୍ଷା ଗୋଟିଏ ଛୋଟିଆ ପାଲୋ ତଳେ ଦିବ୍ୟାଙ୍କ ମା’ଫୁଲମଣୀ ହାଁସଦାଃ ଓ ଅସହାୟ ବାପା ଦୁଇକା ହାଁସଦାଃ ଜୀବନ ଅତିବାହିତ କରୁଥିଲେ ।
ଏହି ଖବର ଗଣମାଧ୍ୟମରେ ପ୍ରଚାରିତ ହେବାପରେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରିଥିଲେ । ଆଜି ରାଜ୍ୟ କୃଷିଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଦିବ୍ୟାଙ୍ଗ ବୃଦ୍ଧ ଦମ୍ପତିଙ୍କୁ ନୂଆ ବସ୍ତ୍ର ପ୍ରଦାନ କରିଥିବାବେଳେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀ, ଆରଡିସିର ସମ୍ପାଦକ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ କୁମାରକାନ୍ତ ମାରାଣ୍ଡି, ନାଏବ ସରପଞ୍ଚ କରମଚାନ୍ଦ ମହାନ୍ତ, ରାଜ୍ୟ ସାଧାରଣସମ୍ପାଦକ ଭବନୀଶଙ୍କର ଧଡା, ବିଭୁତି ରାଉତ, ପ୍ରଶାନ୍ତ ଜେନା ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଅସହାୟ ଦିବ୍ୟାଙ୍କ ଦମ୍ପତିଙ୍କୁ ବାରିପଦା ସ୍ଥିତ ପାଲବଣି ବୃଦ୍ଧାଶ୍ରମକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଜିଲ୍ଲାପ୍ରଶାସନ ସମସ୍ତ ଦାୟିତ୍ୱ ବହନ କରିବବୋଲି ଉପରିସ୍ଥ ପ୍ରଶାସନିକ ଅଧିକାରୀମାନେ ପ୍ରକାଶ କରିଥିଲେ ।
