Odisha news

ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଆର ପାରିରେ, ସମଗ୍ର ମୟୂରଭଞ୍ଜ ସ୍ତବ୍ଧ

0

ବାରିପଦା  : ମୟୂରଭଞ୍ଜର ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବାରିପଦା ବେଲଗଡିଆ ସ୍ଥିତ ରାଜପ୍ରସାଦରେ ପରଲୋକ ହେବାଖବର ସୋମବାର ସକାଳୁ ପ୍ରଚାରିତ ହେବାପରେ ସମଗ୍ର ମୟୂରଭଞ୍ଜ ସ୍ତବ୍ଧ ହୋଇଯାଇଥିଲା । ପରଲୋକ ବେଳକୁ ରାଜମାତାଙ୍କୁ ୯୪ବର୍ଷ ହୋଇଥିଲା । ସବୁଦିନପରି ରାଜମାତା ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ରାତ୍ରୀ ଭୋଜନ କରିସାରି ଶୋଇଥିବାବେଳେ ରବିବାର ବିଳମ୍ବିତ ରାତ୍ରୀରେ ତାଙ୍କର ପରଲୋକ ହୋଇଯାଇଥିଲା । ସମଗ୍ର ମୟୂରଭଞ୍ଜରେ ରାଜମାତା ଜଣେ ପ୍ରଜାବସôଳ, ଧର୍ମପରାୟଣ ଓ ପରୋପକାରୀ ଭାବେ ଘରେଘରେ ପରିଚିତ ଥିଲେ । ସେ ମୟୂରଭଞ୍ଜର ପ୍ରସିଦ୍ଧ ଛଉନୃତ୍ୟ ଓ କଳା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ରାଜମାତା ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହାଙ୍କ କନ୍ୟା ଓ ସେ ୧୯୨୭ ମସିହା ଫେବୃଆରୀ ମାସ ୧୭ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୫୨ ମସିହାରେ ତତ୍କାଳୀନ ମୟୂରଭଞ୍ଜ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କୁ ବିବାହ କରି ମୟୂରଭଞ୍ଜ ମହାରାଣୀ ପାଲଟିଥିଲେ । ତାଙ୍କ ସ୍ୱାମୀ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ୨୦୦୦ ମସିହାରେ ପରଲୋକ ହୋଇଯାଇଥିଲା । ବର୍ତ୍ତମାନର ମହାରାଜା ତଥା ମୋରଡାର ପୂର୍ବତନ ବିଧାୟକ ତଥା ପୂର୍ବତନମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ମାତା ଅଟନ୍ତି । ସୋମବାର ଅପରାହ୍ନରେ ରାଜମାତାଙ୍କ ଶେଷକୃତ୍ୟ ସମାଧୀପୀଠରେ ସଂପନ୍ନ ହୋଇଥିଲା । ବେଲଗଡିଆ ସ୍ଥିତ ରାଜପ୍ରସାଦରେ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ୍, ସାରସକଣା ବିଧାୟକ ବୁଢାନ୍ ମୁର୍ମୁ, ମୋରଡା ବିଧାୟକ ରାଜ୍ କିଶୋର ଦାସ ଓ ରାଜ୍ୟ କୃଷିଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାଧାରଣଜନତା ରାଜମାତାଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

Nalco
Leave A Reply