ବାରିପଦା : ସାରା ବିଶ୍ୱରେ କରୋନାର ଭୟାବହତା ବ୍ୟାପୀ ରହିଛି । ଏହି ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଭାଇରସ ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି । ଏଥିପାଇଁ ରାଜ୍ୟସରକାର ସପ୍ତାହରେ ୨ଦିନିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି । ରାଜ୍ୟର ଅର୍ଥନୀତିକୁ ପଛକରି ଲୋକଙ୍କ ଜୀବନ ରକ୍ଷା ପ୍ରଥମ କର୍ତ୍ତବ୍ୟ ଭାବେ ଗ୍ରହଣ କରି ସଟ୍ଡାଉନ୍ ସମୟରେ ଉପୁଜିଥିବା ସମସ୍ୟାର ସମାଧାନ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଅଞ୍ଚଳରେ ଗତ ୨ଦିନ ହେଲାଣି ବଣୁଆ ହାତୀଙ୍କ ପ୍ରବେଶ ଯୋଗୁଁ ଜନସାଧାରଣ ଆତଙ୍କିତ ହୋଇପଡିଛନ୍ତି । ଗୁରୁବାର ରାତିରେ ଝାଡଖଣ୍ଡ ପଟୁ ଚାଲି ଆସିଥିବା ପ୍ରାୟ ୧୭ଟି ଛୋଟବଡ ହାତୀ ଦିନବେଳେ ବିଭିନ୍ନ ଗ୍ରାମ ଜଙ୍ଗଲରେ ରହୁଥିବାବେଳେ ସନ୍ଧ୍ୟାରେ ଜନବସତି ଆଡକୁ ମୁହାଁଉଥିବାରୁ ରାତିରେ ଲୋକଙ୍କ ନିଦ ହଜିଯାଉଛି । ଯେକୌଣସି ମୁହୁର୍ତ୍ତରେ ହାତୀପଲ ଗ୍ରାମ ମଧ୍ୟକୁ ପଶିଆସିବା ଆଶଙ୍କାରେ ଗ୍ରାମବାସୀ ପାଳିକରି ଗାଁକୁ ଜଗୁଛନ୍ତି ।
ଏଦିଗରେ ଫରେଷ୍ଟର ଚନ୍ଦ୍ରଭାନୁ ମହାନ୍ତଙ୍କ ସମେତ ବନକର୍ମଚାରୀ, ସବୁଜ ବାହିନୀ ସଦସ୍ୟ ହାତୀପଲର ଗତିବିଧି ଲକ୍ଷ୍ୟକରି ପୁଣି ଝାଡଖଣ୍ଡ ସୀମା ଜଙ୍ଗଲକୁ ଘଉଡେଇବାରେ ସମର୍ଥ ହୋଇଛନ୍ତି । ସନ୍ଧ୍ୟା ପର୍ଯ୍ୟନ୍ତ କୁଜିଆମ୍ବ ଜଙ୍ଗଲରେ ରହିଥିବା ୧୭ଟି ହାତୀ ଶୁକ୍ରୁବାର ରାତିରେ ଅସ୍ମିପାଳ ଗ୍ରାମରେ ସିକନ୍ଦର ପିଙ୍ଗୁଆ ଓ ସୁଜନ ପିଙ୍ଗୁଆଙ୍କ ଘରଭାଙ୍ଗି ଧାନ ଚାଉଳ ନଷ୍ଟ କରିଛନ୍ତି । ରରୁଆଁ ବ୍ଲକ ଅଞ୍ଚଳରେ ପଶିବା ପରେ ରରୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ପାଚେରୀ ଭାଙ୍ଗିବା ସହ ଫୁଲ, ଫଳ ବଗିଚା ମାଡିଦଳି ଦେଇଛନ୍ତି । ସେଠାରୁ ବାହାରି ରରୁଆଁ ଭୂୟାଁ ସାହିର ଗୋକୁଳ ନାଏକଙ୍କ ଘର ଭାଙ୍ଗିଛନ୍ତି । ରାମ ନାଏକ ଏବଂ ଅନ୍ୟାନ୍ୟ ଚାଷୀଙ୍କ ବିଲରେ ଗଲାବେଳେ ତଳି ନଷ୍ଟ କରିଦେଇଥିବା ସୂଚନା ମିଳିଛି । ଶନିବାର ସନ୍ଧ୍ୟାରେ ଏହି ହାତୀପଲ ଓଡିଶା-ଝାଡଖଣ୍ଡ ସୀମାନ୍ତ ହଳଦିଆ ଜଙ୍ଗଲରେ ଅବସ୍ଥାନ କରିଥିବା ଜଣାପଡିଛି ।