ବାରିପଦା, : ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ବାରିଆ ଗ୍ରାମରେ ପୁଣି ଏକ ମାଓପୋଷ୍ଟର ଲାଗିଥିବା ଦେଖି ସ୍ଥାନୀୟ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ସକାଳୁ ଶୁକୃଳି ବ୍ଲକ ବାରିଆ ଗ୍ରାମରେ ଥିବା ପଶୁରାମ ବେହେରାଙ୍କ ଘରକାନ୍ଥରେ ଲାଲି ଅକ୍ଷରରେ ମାଓବାଦୀ ନାମରେ ଏକ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଉକ୍ତ ପୋଷ୍ଟରରେ ଜୟ ମାଓବାଦୀ ଲେଖାଯିବା ସହ ମିଡିଆରେ ହିର ହେବୁ ୨୮ଘଣ୍ଟା ଭିତରେ ତତେ ମାରିକି ପ୍ରମାଣ କରିଦେବୁ ଯେ, ଆମେ ମାଓବାଦୀ ତାପରେ ଆଉ ଦୁଇଜଣ ବି ମରିବେ ଆମେ ଦେଖିବୁ ତମମାନଙ୍କୁ ପୋଲିସ କେତେ ସୁରକ୍ଷା ଦେବ । ଆମେ ଯାହା କହୁ ତାହା କରୁ, ଆମର କାମ ହିଁ ଆମ ଭଗବାନ ବୋଲି ଲାଲି ଅକ୍ଷରରେ ଧମକପୂର୍ଣ୍ଣ ପୋଷ୍ଟରକୁ ଦେଖି ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨ତାରିଖ ମଧ୍ୟ ଉକ୍ତ ଗ୍ରାମରେ ଏକ ମାଓପୋଷ୍ଟର ଦେଖିବାକୁ ମିଳିଥିଲା । ଉକ୍ତ ମାଓପୋଷ୍ଟରରେ ୧୦ଲକ୍ଷଟଙ୍କା କିମ୍ବା ଶହେକ୍ୱାଇଣ୍ଟାଲ ଚାଉଳ ଦେବାପାଇଁ ଏବଂ ଆମେ ଗାଁରେ ପଶି ସାରିଛୁ ବୋଲି ମାଓବାଦୀର ଧମକପୂର୍ଣ୍ଣ ପୋଷ୍ଟର ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ସିଙ୍ଗିଡା ଫାଣ୍ଡି ଅଧିକାରୀ ପହଞ୍ଚି ପୋଷ୍ଟରକୁ ଜବତ କରିଥିବାବେଳେ ରରୁଆଁ ପୋଲିସ ଉକ୍ତ ଘଟଣାର ଖୋଳତାଡ କରୁଥିବା ଜଣାଯାଇଛି । ଅନ୍ୟପକ୍ଷରେ ସପ୍ତାହକ ମଧ୍ୟରେ ଦୁଇଦୁଇଥର ମାଓପୋଷ୍ଟର କିଏ ଲଗାଇଲା ତଥା ଏହା ଅସଲି ମାଓବାଦୀର ଧମକପୂର୍ଣ୍ଣ ପୋଷ୍ଟର କି ନାହି ସାଧାରଣରେ ଚର୍ଚ୍ଚା ଚାଲିଥିବାଳେ ପୋଲିସ ଏଥିପ୍ରତି ତୀକ୍ଷଣ ଦୃଷ୍ଟିଦେବାକୁ ସାଧାରଣରେ ଦାବିହୋଇଛି ।