ବାରିପଦା : ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଆଉ ସେହି କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୂରଭଞ୍ଜ ମହୋତ୍ସବ । ୬ଷ୍ଠ ବର୍ଷରେ ପଦାର୍ପଣ କରିଛି ମୟୂରଭଞ୍ଜ ମହୋତ୍ସବ । ଆସନ୍ତା ନଭେମ୍ବର ୧ତାରିଖରୁ ଆରମ୍ଭ ହୋଇ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ କଳାକାର ମାନଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେ ତାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଛଉପଡିଆ ପର୍ଯ୍ୟନ୍ତ ଆୟୋଜିତ ହେବ କାରନିଭାଲ ସୋ । ନଭେମ୍ବର ୨ତାରିଖରୁ ଆସନ୍ତା ୧୦ ଦିନ ଧରି ବାରିପଦାର ଐତିହାସିକ ଛଉ ପଡିଆରେ ଅନୁଷ୍ଠିତ ହେବ ଏହି ମହୋତ୍ସବ । ଓଡ଼ିଆ ସିନେ ଜଗଗତର ସୁପାରଷ୍ଟାର ଉତ୍ତମ ମହାନ୍ତି, ଅସିତ ପତି, ପପୁ ପମପମ୍, ସ୍ୱରାଜ ବାରିକ, ସନ୍ରା, ଅନିମେଶ ଘୋଷ, ଗାୟକ ଅସୀମା ପଣ୍ଡା, ଇରା ମହାନ୍ତି, ଅନନ୍ୟା ଶ୍ରିତମ ନନ୍ଦ ପ୍ରଖୁମ ବହୁ ନାମିଦାମୀ କଳାକାର ଏହି ମଞ୍ଚରେ କଳା ପ୍ରଦର୍ଶନ କରି ଲୋକଙ୍କ ମନୋରଞ୍ଜନର ଖୋରାଖ ଯୋଗାଇବେ । ଏଥିସହିତ ସାଧନା ସରଗମ, ଇଣ୍ଡିଆନ ଆଇଡଲ ଫେମ ଅଙ୍କିତା ପାତ୍ରା ପ୍ରମୁଖ ମଧ୍ୟ ଏହି ମଞ୍ଚରେ ଲୋଙ୍କୁ ମନୋରଞ୍ଜନ କରିବେ । ଆଦିବାସୀ ବହୁଳ ଜିଲ୍ଲାର ଆଦିବାସୀ ପରମ୍ପରାକୁ ଅବା ଭୁଲିବ କିଭଳି ଏହି ମୟୂରଭଞ୍ଜ ମହୋତ୍ସବ । ଏଥିପାଇଁ ପ୍ରସ୍ତୁତ ହୋଇଛି ୩ଦିନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ କଳାକାରଙ୍କ ସମେତ ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଆସାମର ସାନ୍ତାଳୀ କଳାକାର ମଙ୍ଗଲ ହାଁସଦା, କଳ୍ପନା ହାଁସଦା, ମଧୁସ୍ମିତା ସୋରେନ ମୁର୍ମୁ, ରାମ ମାର୍ଣ୍ଡି, ପ୍ରିୟା ମୁଣ୍ଡା ଏବଂ ବବି ସିଂ ପ୍ରମୁଖ ଯୋଗ ଦେଇ ନିଜ କଳା ମାଧ୍ୟମରେ ଜିଲ୍ଲାବସୀଙ୍କୁ ବିମୋହିତ କରିବେ ।
୨ତାରିଖ ଦିନ ପ୍ରଥମ ସନ୍ଧ୍ୟାରେ ଅସୀମା ପଣ୍ଡାଙ୍କ ସୁମଧୁର ସଂଗୀତ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଛୋଟିବ । ସେହିଭଳି ଦ୍ୱିତୀୟ ସନ୍ଧ୍ୟା ୩ତାରିଖ ଆକର୍ଷଣ ରହିବ ଜି ସାରେଗାମା ଫେମ ଓମ୍ ଅଗ୍ରହରି, ସ୍ମୃତି ଜୟଶ୍ୱାଲ ଏବଂ ସେକ୍ସଫୋନ କଳାକାର ଲିପିକା ସାମନ୍ତ, ତୃତୀୟ ସନ୍ଧ୍ୟା ୪ ତାରିଖରେ ସାନ୍ତାଳୀ ଗାୟକ ମଙ୍ଗଲ ହାଁସଦା ସାଙ୍ଗକୁ ସୁପରଷ୍ଟାର ସ୍ୱରାଜ ବାରିକ ମଞ୍ଚରେ ଦର୍ଶକଙ୍କୁ କରିବେ ମତୁଆଲା । ଚତୁର୍ଥ ସନ୍ଧ୍ୟା ୫ତାରିଖ ଦିନ ଓଡ଼ିଆ ସିନେ ଜଗତର କମେଡି କିଙ୍ଗ ପପୁ ପମ୍ପମ୍ଙ୍କ ସହିତ ପ୍ରମୁଖ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ସତ୍ୟଜିତ୍ ପ୍ରଧାନ ସଂଗୀତ ପରିବେଷଣ କରିବେ । ପଞ୍ଚମ ସନ୍ଧ୍ୟା ୬ତାରିଖ ଦିନ ସାନ୍ତାଳୀ ନାଇଟରେ ରାମ ମାର୍ଣ୍ଡି ସାଙ୍ଗକୁ ପ୍ରିୟା ମୁଣ୍ଡା ଏବଂ ବବି ସିଂ ଦର୍ଶକଙ୍କ ମନୋ ମହିବେ । ଷଷ୍ଠ ସନ୍ଧ୍ୟା ୭ତାରିଖରେ ଝୁମର ନାଇଟରେ କଳାର ପ୍ରଦର୍ଶନ କରିବେ ଗୌତମ ମହାନ୍ତ ଏବଂ ଉର୍ମିଳା ମହାନ୍ତ । ସପ୍ତମ ସନ୍ଧ୍ୟା ୮ତାରିଖରେ ଇଣ୍ଡିଆନ ଆଇଡଲ ଫେମ ଅନ୍ୱେଷା ପାତ୍ର ସଙ୍ଗୀତ ପରିବେଷଣ କରିବାକୁ ଥିବାବେଳେ ଅଷ୍ଟମ ସନ୍ଧ୍ୟା ୯ତାରିଖରେ ସାନ୍ତାଳୀ ଗାୟୀକା କଳ୍ପନା ହାଁସଦା ମତୁଆଲା କରିବେ ଦର୍ଶକଙ୍କୁ । ନବମ ସନ୍ଧ୍ୟା ୧୦ତାରିଖରେ ଇଣ୍ଡିଆନ ଆଇଡଲ ଫେମ ଅନନ୍ୟା ଶ୍ରିତମ ପଣ୍ଡାଙ୍କ ସୁମଧୁର ସଙ୍ଗୀତ ପରିବେଷଣ ହେବାକୁ ଥିବାବେଳେ ଦଶମ ତଥା ଶେଷ ସନ୍ଧ୍ୟା ୧୧ତାରିଖରେ ପ୍ରଖ୍ୟାତ ବଲିଉଡ ଗାୟୀକା ସାଧନା ସରଗମ ନାଇଟ ଅନୁଷ୍ଠିତ ହେବ ।
ଏଥିସହିତ ମୟୂରଭଞ୍ଜ ଜିଲ୍ଲାର କଳାକାର ମାନେ ମଧ୍ୟ ନିଜ ନିଜର କଳାର ପ୍ରଦର୍ଶନ କରିବେ । ୩ତାରିଖରେ ବାରିପଦା ଉପଖଣ୍ଡ କଳାକାର ମାନେ କଳାର ପ୍ରଦର୍ଶନ କରିବାକୁ ଥିବାବେଳେ ୫ତାରିଖରେ ପ୍ରଦର୍ଶନ କରିବେ କପ୍ତିପଦା ଉପଖଣ୍ଡ କଳାକାର ମାନେ । ସେହିଭଳି ୮ତାରିଖ ଦିନ ପଞ୍ଚପୀଢ ଅଞ୍ଚଳର କଳାକାର ମାନେ ପ୍ରଦର୍ଶନ କରିବାକୁ ଥିବାବେଳେ ୧୦ତାରିଖ ଦିନ ବାମନଘାଟି ଉପଖଣ୍ଡ କଳାକାର ମାନେ ନିଜ ନିଜର କଳାର ପ୍ରଦର୍ଶନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଆୟୋଜକ କମିଟି । ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତି ସହ ଅନ୍ୟ ଜିଲ୍ଲା ମାନଙ୍କର କଳାର ଆଦାନ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହି ମହୋତ୍ସବରେ ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପରୁ ଆରମ୍ଭ କରି କୁଟୀର ଶିଳ୍ପ, ଖେଳନାରୁ ଆରମ୍ଭ କରି ପୋଷାକ ଆଉ ତାସହ ଘରକରଣା ସାମଗ୍ରୀ ଏବଂ ପାରମ୍ପାରିକ ଖାଦ୍ୟ ମୁଢିମାଂସ ସହ ଅନ୍ୟାନ୍ୟ ଖାଦ୍ୟର ମଧ୍ୟ ମଜା ଉଠାଇ ପାରିବେ ଦର୍ଶକ । ପାଖାପାଖି ୨୦୦ଷ୍ଟଲ ଖୋଲିବ ଏହି ମହୋତ୍ସବରେ । ପ୍ରତିଦିନ ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା କହିଛନ୍ତି । ଯୁବପିଢୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଲ୍ଫି ଜୋନ୍ର ବ୍ୟବସ୍ଥା କରାଯିବ ମହୋତ୍ସବରେ । ମୟୂରଭଞ୍ଜ ମହୋତ୍ସବ କମିଟି ସଭାପତି କୃଷ୍ଣାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କର୍ମକର୍ତ୍ତା ସଂଜୀବ ଦ୍ୱିବେଦୀ, ତାପସ ପାଢ଼ୀ, କଳିଙ୍ଗ କେଶରୀ ଜେନା, ବିପ୍ଳବ ବୁଗୁଡେଇ, ଲଡ଼ୁ କେଶର ରଣା, ସତ୍ୟଜିତ ସୋମ, ରାକେଶ ସିଂ, ସବିତା ହାଁସଦା, ନିମାଇଁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
