ବାରିପଦା : ଚଳିତ ବର୍ଷ ଅକ୍ଟୋବର ୩୦ତାରିଖ ରୁ ନଭେମ୍ବର ୫ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେବାକୁ ଯାଉଅଛି । ଏହି ପରିପ୍ରେକ୍ଷୀରେ ଉକ୍ତ ସଚେତନତା ସପ୍ତାହ ପାଳନ ଅବ୍ୟବହିତ ପୂର୍ବରୁ ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଏହି ଉପଲକ୍ଷେ ସ୍କୁଲ ଏବଂ କଲେଜ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ କନିଷ୍ଠ ଏବଂ ବରିଷ୍ଠ ଦୁଇଟି ବର୍ଗରେ ଇଂରାଜୀ ଓ ଓଡ଼ିଆରେ ଏବର୍ଷ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ପ୍ରଦତ୍ତ ଦୁର୍ନୀତିକୁ ବିରୋଧ କରିବା : ରାଷ୍ଟ୍ର ପ୍ରତି ସମର୍ପିତ ରହିବା ବିଷୟ ବସ୍ତୁ ଉପରେ ବକ୍ତୃତା ଓ କାର୍ଟୁନ-କମ୍-କେପସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପ୍ରଶାସନ ତତ୍ତ୍ୱାବଧାନରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଦ୍ୱାରା ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି, ଭିଜିଲାସନ୍ସ ଇନ୍ସପେକ୍ଟର ବିକାଶ କୁମାର ସ୍ୱାଇଁ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅତୁଲ କୁମାର ପରିଡା, ମହୁଲବଣୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜୟଚନ୍ଦ୍ର ବେହେରା, ବଡ଼ସାହି ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ଗିରି, ଆଦର୍ଶ ବିଦ୍ୟାଳୟର ସହକାରୀ ଶିକ୍ଷକ ଋତୁପର୍ଣ୍ଣା ମହାନ୍ତି, ଇଂରାଜୀ ବକ୍ତୃତା ପ୍ରତିଯୋଗିତାର ବିଚାରକ ଭାବେ ଏବଂ ବାରିପଦା ଏବିଇଓ ତପସ୍ୱିନୀ ଦାଶ, କଣ୍ଟାପାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର, ସହକାରୀ ଶିକ୍ଷକ ଚିତ୍ତ ରଞ୍ଜନ ପାଲଟା, ସହକାରୀ ଶିକ୍ଷୟତ୍ରୀ ବର୍ଣ୍ଣାଳି ରାଉତ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଆର୍ଟ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ମହାନ୍ତି କାର୍ଟୁନ-କମ୍-କେପସନ ପ୍ରତିଯୋଗିତାର ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ କୁମାର ପରିଡା, ରାଜକିଶୋର ସେଠୀ, ଗାୟତ୍ରୀ ବେହେରା, ପ୍ରବୀର କୁମାର ବେହେରା ଓ ଦୀପକ କୁମାର ରାମ ସହଯୋଗ କରିଥିଲେ । ପ୍ରତିଯୋଗିତାର କୃତୀ ଛାତ୍ର-ଛାତ୍ରୀ ମାନଙ୍କୁ ନଭେମ୍ବର ୩ତାରିଖରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ।