Odisha news

୪ କୋଟି ଟଙ୍କା ବିନିମୟରେ ନିର୍ମାଣ ହେବ ଆଦିବାସୀ ଭବନ

0

ବାରିପଦା  : ମୁର୍ଗାବାଡି ସ୍ଥିତ ଡିପିଆରସି ହଲ ଠାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ମୟୂରଭଞ୍ଜର ଦ୍ୱିତୀୟ ପରିଷଦ ବୈଠକ ପରିଷଦର ଅଧ୍ୟକ୍ଷ ଡାଃ ଦେବାଶିଷ ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବାରିପଦା ସମନ୍ୱିତ ଆଦିବାସୀ ପ୍ରକଳ୍ପ ପ୍ରଶାସକ ରାମଚନ୍ଦ୍ର ସୋରେନ ଉପସ୍ଥିତ ଥିବା ଅତିଥି, ପରିଷଦର ସଦସ୍ୟ/ସଦସ୍ୟା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହ ଏହି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନର ଆଭିମୁଖ୍ୟ ସମ୍ଭନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ । ପରିଷଦର ଅଧ୍ୟକ୍ଷ ଡାଃ ମାର୍ଣ୍ଡି ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦିବାସୀ ମାନଙ୍କ ଉନ୍ନତିର ମାନସ ପୁତ୍ର ପରିକଳ୍ପନା ସ୍ୱରୂପ ହେଉଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଯାହାକି ଭାରତ ବର୍ଷରେ ପ୍ରଥମ ବୋଲି ଉଲ୍ଲେଖ କରିଥିଲେ । ଓଡିଶାରେ ବର୍ତ୍ତମାନ ୨୩ଗୋଟି ଆଦିବାସୀ ବହୁଳ ଜିଲ୍ଲାରେ ଏହି ପରିଷଦ କାର୍ଯ୍ୟ କରୁଛି । କେବଳ ଆଦିବାସୀ ମାନଙ୍କ କଳା, ସଂସ୍କୃତି ଓ ପରମ୍ପରାର ବିକାଶ ଏହାର ଲକ୍ଷ ନୁହେଁ ବରଂ ଶିକ୍ଷା, ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ଆଣି ସେମାନଙ୍କର ସାମଗ୍ରିକ ବିକାଶ ସାଧନ କରିବା ଉନ୍ନୟନ ପରିଷଦର ପ୍ରମୁଖ ଉଦେଶ୍ୟ । ଏହି ଅବସରରେ ପ୍ରୋଜେକ୍ଟର ଜରିଆରେ ପରିଷଦର କାର୍ଯ୍ୟାଧାରା ତଥା ଚଳିତ ବର୍ଷର ବିଗତ ଦିନମାନଙ୍କରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟ ତଥା ଏହାର ଉପଲବ୍ଧି ଏବଂ ଚଳିତ ଆର୍ଥôକ ବର୍ଷର ଆଗାମୀ ଦିନରେ ହାତକୁ ନିଆଯାଇଥିବା ଥିବା ବିଭିନ୍ନ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ସମ୍ବନ୍ଧରେ ବିସ୍ତୃତ ଭାବେ ଅବଗତ କରାଇଥିଲେ । ଏଥିମଧ୍ୟରୁ ଚାରିକୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଆଦିବାସୀ ଭବନ, ବିଭିନ୍ନ ଗୋଷ୍ଠୀ ମାନଙ୍କ ସହ ଆଲୋଚନା ଓ ସହମତି ଭିତ୍ତିରେ କଳାକାର ମାନଙ୍କୁ ବାଦ୍ୟଯନ୍ତ୍ର ଯୋଗାଇବା, ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ରୀଡା ପୋଷାକ ଓ ଉପକରଣ ପ୍ରଦାନ କରାଯିବା, ଭାବର ଆଦାନ ପ୍ରଦାନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ସ୍ପୋର୍ଟସ ମିଟ, ୨୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବ୍ଲକ ସ୍ତରୀୟ ଐତିହ୍ୟ କେନ୍ଦ୍ର, ଅଧିକରୁ ଅଧିକ ଧର୍ମୀୟ ପୀଠ ନିର୍ମାଣ, ଅଧିକ ସାଂସ୍କୃତିକ ସଙ୍ଘ ଗଠନ, ଆଦିବାସୀ ମାନଙ୍କ ଆର୍ଥôକ ଅଭିବୃଦ୍ଧି ପାଇଁ ସ୍ୱତନ୍ତ୍ର ଭାବେ ଆଦିବାସୀ ହାଟ ନିର୍ମାଣ, ଆଦିବାସୀ ତୀର୍ଥ ସ୍ଥଳୀ ର ଉନ୍ନତିକରଣ ଓ ବୃହତ ଲକ୍ଷ୍ୟ ସାଧନ ନିମିତ୍ତ ବାହାର ସ୍ଥାନକୁ ଭ୍ରମଣ ଇତ୍ୟାଦି କାର୍ଯ୍ୟକ୍ରମ ରହିଛି ବୋଲି ପରିଷଦର ଅଧ୍ୟକ୍ଷ ଡାଃ ମାର୍ଣ୍ଡି ଉଲ୍ଲେଖ କରିଥିଲେ । ଜିଲ୍ଲାପାଳ ତଥା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୀତ ଭରଦ୍ୱାଜ ତାଙ୍କ ବକ୍ତବ୍ୟରେ କହିଥିଲେ କି ଆଦିବାସୀ ମାନଙ୍କ ଉନ୍ନତି ପାଇଁ ସରକାରଙ୍କ ଯେଉଁ ସବୁ ଯୋଜନା ରହିଛି ସେଗୁଡିକ ଆଇଟିଡିଏ ଓ ଅନ୍ୟାନ୍ୟ ବିଭାଗର ମିଳିତ ସହଯୋଗରେ ସମ୍ପାଦିତ ହେଉଛି ଏଥିପାଇଁ ଅର୍ଥ ପ୍ରତିବନ୍ଧକ ହେବ ନାହିଁ । ପ୍ରକଳ୍ପ କାର୍ଯ୍ୟ ପାଇଁ ଜମି ଆବଣ୍ଟନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଗୁଡିକୁ ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେଇ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ପିଏଆଇଟିଡିଏ ମାନଙ୍କୁ ପରାମର୍ଶ ଦେଇଥିଲେ । ଏସଡିସି ଦ୍ୱାରା ଯେଉଁ ସବୁ କାର୍ଯ୍ୟ ସମ୍ପାଦିତ ହେଉଛି ସେଗୁଡିକ ଲୋକମାନଙ୍କ ଉତ୍ତମ ଦୃଷ୍ଟିଗୋଚର ପାଇଁ ଏକ ପ୍ରକାରର ବ୍ରାଣ୍ଡିଂ ଓ ଦୀର୍ଘ ସ୍ଥାୟୀ ଲୋଗ ବ୍ୟବହାର ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ମାତ୍ର ତୃଣମୂଳ ସ୍ତରରେ ଲୋକମାନଙ୍କୁ ଯୋଜନା ବିଷୟରେ ସଚେତନ କରାଇ କାର୍ଯ୍ୟଧାରାରେ ସ୍ୱଚ୍ଛତା ଅବଲମ୍ବନ କରି ପ୍ରକଳ୍ପ କାର୍ଯ୍ୟ ଗୁଡିକ କିପରି ଉତ୍ତମ ମାନର ହେବ ସେ ଦିଗରେ ଉଭୟ ସରକାରୀ ବିଭାଗ ଓ ପରିଷଦର କର୍ମକର୍ତ୍ତା ମାନେ ଯନôବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ କାର୍ଯ୍ୟ ଆରମ୍ଭରେ ସେ ଅଞ୍ଚଳର ବିଭିନ୍ନ ଗୋଷ୍ଠୀର ଲୋକଙ୍କ ସହିତ ଆଲୋଚନା କରି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ସେ ଅଞ୍ଚଳର ଲୋକଙ୍କ ଭାଗିଦାରୀ ପାଇଁ ଏହାର ରକ୍ଷଣା ବେକ୍ଷଣ ତଥା ସୁରକ୍ଷା ପାଇଁ ସେମାନଙ୍କୁ ବିଶେଷ କରି ଯୁବ ଗୋଷ୍ଠୀଙ୍କୁ ଦାୟିତ୍ୱ ଦେଲେ ସମନ୍ୱୟରେ ଉନ୍ନତି ଘଟିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ପରିଷଦର ସଦସ୍ୟ/ସଦସ୍ୟା ମାନେ ମଧ୍ୟ ଜିଲ୍ଲାରେ ଆଦିବାସୀ ସମ୍ପ୍ରଦାୟର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜନିଜର ସୁଚିନ୍ତିତ ମତାମତ ରଖିଥିଲେ । ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଉପାଧ୍ୟକ୍ଷା କମଳା ତିରିଆ, କରଞ୍ଜିଆ, ଉଦଳା ଓ ରାଇରଙ୍ଗପୁର ଆଇଟିଡିଏର ପ୍ରକଳ୍ପ ପ୍ରଶାସକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ପରିଷଦର ସଦସ୍ୟ/ସଦସ୍ୟା ମାନେ ଉପସ୍ଥିତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପରିଷଦର ଉପାଧ୍ୟକ୍ଷା କମଳା ତିରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply