Odisha news

ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ

0

ବାରିପଦା  : ଜିଲ୍ଲା କ୍ରୀଡା ବିଭାଗ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ହକି ଏସୋସିଏସନ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତିଙ୍କ ନେତୃତ୍ୱରେ ସ୍ଥାନୀୟ ବାରିପଦା ଷ୍ଟାଡିୟମ ଠାରୁ ଏକ ର୍ୟାଲି ବାହାରି ସହର ପରିକ୍ରମା କରି ଷ୍ଟାଡିୟମ ପରିସରରେ ପହଂଚିଥିଲା । ଏଥିରେ ଏମକେସି ଉଚ୍ଚ ବିଦ୍ୟାଳୟ, ବାରିପଦା କଲେଜ, ପିସିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର, ସ୍ପୋର୍ଟସ ହଷ୍ଟେଲ ଓ ଲାଲଟୁ ଇଣ୍ଡିପେନଡେଂସ ସ୍ପୋର୍ଟସ ଗ୍ରୁପର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଓ ମୁଖ୍ୟଅତିଥି ଭାବେ ଯୋଗଦେଇ ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ ପିଲାମାନଙ୍କୁ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ଉପସଭାପତି ବିବେକାନନ୍ଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହସମ୍ପାଦକ ଅମର କୁମାର ସେଠି, ବୈଦ୍ୟନାଥ ରଥ, ଅଶୋକ କୁମାର ପଟ୍ଟନାୟକ, କ୍ରୀଡ଼ାବିତ ବିଜୟ କୁମାର ଦାସ (ମଣ୍ଟୁ ଦା), ଉମେଶ ସାହୁ, ବରିଷ୍ଠ କୋଚ୍ କୁମାର ରଞ୍ଜନ ପଣ୍ଡା ଓ ବିଶିଷ୍ଟ କ୍ରୀଡ଼ାବିତ ଦିବ୍ୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଷ୍ଟାଡିୟମ ପରିସରରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମତିଥିରେ ତାଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଚାନ୍ଦୁଆ ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାରିପଦା ଡିଗ୍ରୀ ମହାବିଦ୍ୟାଳୟ, ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ତଥା ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ବାଳକ ଓ ବାଳିକାଙ୍କୁ ନେଇ ଗଠିତ ଦଳ ମଧ୍ୟରେ ପ୍ରଦର୍ଶନୀ ହକି ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

IEC 2 years
Leave A Reply