Odisha news

ରାଷ୍ଟ୍ରପତି ଅନ୍ଧାରରେ ଭାଷଣ ଦେବା ଘଟଣା , ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ସଫଳ : ଜିଲ୍ଲାପାଳଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

0

ବାରିପଦା  : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଦୁ୍ୟତ୍ ବିଭ୍ରାଟ ଯୋଗୁ ଦୀର୍ଘ ୯ ମିନିଟ୍ ଧରି ଅନ୍ଧାରରେ ଭାଷଣ ଦେବା ଘଟଣାକୁ ନେଇ ସାରା ଜିଲ୍ଲାରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେଣୁ ରାଷ୍ଟ୍ରପତିଙ୍କୁ ଜିଲ୍ଲାପ୍ରଶାସନ ଅସମ୍ମାନ କରିବା ଘଟଣାକୁ ଦୃଢନିନ୍ଦା କରିଥିଲା ବିଜେପି । ଏହି ପରିପ୍ରେକ୍ଷୀରେ ତୁରନ୍ତ ଜିଲ୍ଲାପ୍ରଶାସନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ତଥା ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ବହିଷ୍କାର କରିବା ଦାବିରେ ସୋମବାର ବିଜେପି ପକ୍ଷରୁ ସାରା ମୟୂରଭଞ୍ଜ ଜିିଲ୍ଲାରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା ।

ଏହି ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଥିବାବେଳେ ଉକ୍ତ ବନ୍ଦରେ ଜନସାଧାରଣ ସତପ୍ରବୃତ୍ତ ଭାବେ ସାମିଲ ହୋଇଥିଲେ । ସୋମବାର ସକାଳୁ ବିଜେପି କର୍ମୀମାନେ ହାତରେ ବିଜେପି ପତକା ଧରି ସାରା ଜିଲ୍ଲାରେ ପିକେଟିଂ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ବନ୍ଦ ପାଳନ କରିଥିଲେ । ଏହି ବନ୍ଦ ପାଳନ ପ୍ରଭାବରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ସିନେମା ହୋଲ, ବ୍ୟାଙ୍କ, ପୋଷ୍ଟ ଅଫିସ, ଅଖଚକ ଆଦି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ବିଜେପି କର୍ମୀଙ୍କ ପିକେଟିଂ ଫଳରେ ରାଜପଥରେ ସହ ସହ ଗାଡି ଅଟକି ରହିଥିଲା ।

ଏଥିସହ ଏହି ଦାବି ରାଜ୍ୟସରକାର ତୁରନ୍ତ ପୂରଣ ନକଲେ ବିଜେପି ପକ୍ଷରୁ ଆଗାମୀ ଦିନରେ ଆନେ୍ଦାଳନକୁ ଅଧିକ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍ଙ୍କ ନେତୃତ୍ୱରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍, ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ର, କବିବିଷ୍ଣୁ ଶତପଥୀ, ପରେଶ ମହାନ୍ତ, ସୁଜାତା ମୁର୍ମୁ, ଶୋଭାବତୀ ଓତା, କୌଶଲ୍ୟା ନାୟକ, ସୁମନ ସିଂ, ଛୋଟଲାଲ ମହାନ୍ତ, ଲକ୍ଷ୍ମୀଧର ହାବୋଡା, ଭାଗ୍ୟଲକ୍ଷ୍ମୀ ନାୟକ, ଦେବବ୍ରତ ସାମଲ, ନିରଞ୍ଜନ ଦାସ, କୁମାର ମଙ୍ଗଳମ୍, ପାୟଲ ରାୟ, ବୀରକିଶୋର ପଟ୍ଟନାୟକ, ସୁକୁଲ ମୁର୍ମୁ, ପ୍ରବୀଣ ପାତ୍ର, ସୃଷ୍ଟି ଓତା, ହେମଲତା ମହାନ୍ତି, ମାନସୀ ତ୍ରିପାଠୀ, ସନୁ ରଣା, ସୁବ୍ରତ ମୁଖୀ, ପ୍ରକାଶ ଅଗ୍ରୱାଲ, ହେମଲତା ଦାସ ଓ ସୁଜାତା ଷଡଙ୍ଗୀ ପ୍ରମୁଖଙ୍କ ସହ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ ।

Leave A Reply