Odisha news

ଉଦ୍ୟାପିତ ହେଲା ସ୍ୱତନ୍ତ୍ର ଶୈକ୍ଷିକ କାର୍ଯ୍ୟକ୍ରମ “ଟିଚ୍ ମୟୂରଭଞ୍ଜ-୨୦୨୨’

0

ବାରିପଦା  : ଶିକ୍ଷା ସମସ୍ତଙ୍କୁ ସମ୍ମାନର ସହ ବଞ୍ଚିବା ଶିଖାଏ । ଜଣେ ମଣିଷକୁ ଗଢ଼େ ଓ ଏକ ନୂତନ ଦିଶା ପ୍ରଦାନ କରେ । ପ୍ରତ୍ୟେକଙ୍କ ଜୀବନରେ ଶିକ୍ଷା ଏକ ସମ୍ପତ୍ତି ଯାହା ବିନା ଜୀବନ ଅସହାୟ ହୋଇଥାଏ । ତେବେ ଆଜିର ଦିନରେ ମଧ୍ୟ ଶିକ୍ଷାର ଆଶାନୁରୂପ ପ୍ରସାର ହୋଇପାରି ନଥିବା ବେଳେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ଦ୍ୱାରା ପ୍ରଚଳିତ “ଟିଚ୍ ମୟୂରଭଞ୍ଜ-୨୦୨୨’ କାର୍ଯ୍ୟକ୍ରମ ସେ ଦିଗରେ ଏକ ନୂତନ ସମ୍ଭାବନା ଓ ଉର୍ଜା ସୃଷ୍ଟି କରିଛି । ୨୦୧୯ ମସିହାରୁ ପ୍ରଥମ କରି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଗତ ଦୁଇବର୍ଷ କାଳ ମହାମାରୀ ଜନିତ ଅକ୍ଷମତା ପାଇଁ ବନ୍ଦ ଥିବାବେଳେ ଚଳିତ ବର୍ଷ ତା’ର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ଅନ୍ତର୍ଗତ ସମ୍ମିଳିତ ବି.ଇଡି.-ଏମ୍.ଇଡି. ଓ ସ୍ନାତକୋତ୍ତର ଶିକ୍ଷାର ମୋଟ୍ ୧୮୩ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ୨୦ ଟି ବ୍ଲକ, ୨ ଟି ଏନ୍ଏସି ଓ ବାରିପଦା ପୌରପାଳିକା କୁ ମିଶାଇ ସର୍ବମୋଟ ୭୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ବିନା କୌଣସି ପାରିଶ୍ରମିକରେ ଦୀର୍ଘ ଏକ ମାସ କାଳ ଶିକ୍ଷାଦାନ କରିଥିଲେ ଉକ୍ତ ବିଭାଗର ଏହି ଛାତ୍ରଛାତ୍ରୀ ମାନେ । ଯାହାଦ୍ୱାରା ଜିଲ୍ଲାର ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।

ଯେଉଁଥିରେ ୬ ହଜାରରୁ ବାଳିକା ମାନେ ଉପକୃତ ହୋଇଥିବା ବେଳେ ୭ ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ପିଲାମାନେ ଉପକୃତ ହୋଇଛନ୍ତି । କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଥିଲା ପର୍ଯ୍ୟାପ୍ତ ପରିମାଣର ଶିକ୍ଷକ ନଥିବା ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନରତ ସମ୍ମିଳିତ ବି.ଇଡି. ଏମ୍.ଇଡି. ଓ ସ୍ନାତକୋତ୍ତର ଶିକ୍ଷାର ଛାତ୍ରଛାତ୍ରୀ ମାନେ ଏ ସମସ୍ତ ବିଦ୍ୟାଳୟର ଶୈକ୍ଷିକ ଅଭାବ ପୂରଣ କରିବା ସହିତ ତାଙ୍କୁ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା । ତେବେ ଦୀର୍ଘ ଏକ ମାସ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ବୁଧବାର ଉଦ୍ୟାପିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉଦ୍ୟାପନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ରାସଗୋବିନ୍ଦପୁର ସ୍ଥିତ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନର ନିର୍ଦେଶକ ଡ଼ା. ଆଦିତ୍ୟ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବରେ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ. ପ୍ରଶାନ୍ତ କୁମାର ମହାନ୍ତି ଓ ନିତ୍ୟାନନ୍ଦ ବାରିକ୍ ଏବଂ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଏହାର ଉପକରିତା ଓ ଭବିଷ୍ୟତରେ ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ମତପ୍ରକାଶ କରିଥିଲେ । ସ୍ୱତନ୍ତ୍ର ଅତିଥିରୂପେ ଜାତୀୟ ସ୍ମାରକୀ ପ୍ରାଧିକରଣ ର ସଭାପତି ତଥା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କିଶୋର କୁମାର ବସା ଆଭାସୀ ମାଧ୍ୟମରେ ଯୋଗ ଦେଇ ଏଭଳି ଅଭିନବ ପଦକ୍ଷେପର ପ୍ରଭାବ ଉପରେ ମତରଖିବା ସହିତ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଏଥିରେ ସାମିଲ୍ ହୋଇଥିବା ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

କାର୍ଯ୍ୟକ୍ରମର ଆବାହକ ତଥା ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଡ଼ଃ ସମୀର କୁମାର ଲେଙ୍କା ସ୍ୱାଗତ ଭାଷଣ ପ୍ରଦାନ ଦେଇଥିବା ବେଳେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ତଥା ଶିକ୍ଷା ବିଭାଗର ଅନ୍ୟତମ ସହକାରୀ ପ୍ରାଧ୍ୟାପକ ଡ଼ଃ ରମେଶ କୁମାର ପରୁଆ ଏହି କାର୍ଯ୍ୟକ୍ରମ ସମ୍ପର୍କିତ ସବିଶେଷ ବିବରଣୀ ପାଠ କରିଥିଲେ । ଆୟୋଜିତ ଉତ୍ସବରେ ସମ୍ପୃକ୍ତ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କର ନିଜ ନିଜର ମତ ରଖିଥିଲେ । ଏହି ଉଦ୍ୟାପନୀ ଉତ୍ସବରେ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିକ୍ଷା ସମ୍ବନ୍ଧୀୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିବା ବେଳେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

IEC 2 years
Leave A Reply