ବାରିପଦା : ବାରିପଦା ଟାଉନ ଥାନ ଅନ୍ତର୍ଗତ ପୋଡାଅସ୍ତିଆ ଅଞ୍ଚଳରେ ଏକ ମୃତ ବାଛୁରୀକୁ ଜଣେ ମୁସଲମାନ ସମ୍ପ୍ରଦାୟର ବୃଦ୍ଧ ବ୍ୟକ୍ତି ପୋଡି ଦେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକମାନେ ବହୁ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ସହ ଏହା ଧର୍ମଭାବନାକୁ ଆଘାତ ଦେଇଛି ବୋଲି ହୋହୁଲ୍ଲା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ପୋଡାଅସ୍ତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଅପରିତ୍ୟକ୍ତ ପାଶ୍ୱର୍ରେ ମୃତ ବାଛୁରୀଟିକୁ ଜଣେ ମୁସଲମାନ ବ୍ୟକ୍ତି ନିଅାଁ ଲଗାଇ ପୋଡି ଦେଇଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ହିନ୍ଦୁ ସଂଗଠନ ମାନେ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାକୁ ବିରୋଧ କରିବା ସହ ଗୋ’ମାତାଙ୍କୁ କିପରି ପୋଡି ଦିଆଗଲା ବୋଲି ପ୍ରଶ୍ନ କରିବା ସହ ଘଟଣା ଘଟାଇଥିବା ବୃଦ୍ଧଙ୍କୁ ଠେଲା ପେଲା କରିଥିଲେ । ଘଟଣାସ୍ଥଳରେ ବାରିପଦା ଏସଡିପିଓ ପ୍ରକାଶ ଟୋପଙ୍କ ନେତୃତ୍ୱରେ ବହୁ ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିବା ସହ ରାସ୍ତା ଅବରୋଧ ହଟିଥିଲା । ଅନ୍ୟପକ୍ଷରେ ଏହି ଭିନ୍ନ ସମ୍ପ୍ରଦାୟର ବୃଦ୍ଧ ବ୍ୟକ୍ତିଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚୁରା କରିବା ସହ ଘଟଣାର ପଙ୍ଖାନୁପଙ୍ଖ ତଦନ୍ତ କରିଛନ୍ତି ।
