ବାରିପଦା : ଗୁଣିଗାରେଡି ସନେ୍ଦହରେ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ଅଖାରେ ପୂରାଇ କେନାଲକୁ ଫିଙ୍ଗିଦେବା ପରି ଲୋମହର୍ଷକାରୀ ଘଟଣା ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ କୋଠାବିଲା ଗ୍ରାମରେ ଦେଖିବାକୁ ମିଳିଛି । ବାରିପଦା ଏସଡିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାରିପଦା ଏସଡିପିଓ ପ୍ରକାଶ ଜେମ୍ସ ଟୋପ ଘଟଣା ସମ୍ବନ୍ଧରେ ସୂଚନା ଦେଇଥିଲେ । ଘଟଣାରୁ ପ୍ରକାଶ ଯେ, ଗତ ୧୭ତାରିଖରେ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ କୋଠାବିଲା ଗାଁର ଡପକା ସାହିରେ କେତେକ ଲୋକଙ୍କୁ ଜ୍ୱର ହେଉଥିବାବେଳେ ମେଡିସିନ୍ ଖାଉଥିଲେ ମଧ୍ୟ ଜ୍ୱର ଛାଡ଼ୁନଥିଲା ।
ତେଣୁ ଗୁଣିଗାରେଡି ଯୋଗୁ ଜ୍ୱର ହେଉଥିବା ଗାଁ ଲୋକଙ୍କ ମନରେ ସନେ୍ଦହ ହୋଇଥିଲା ଏବଂ ଏନେଇ ଗ୍ରାମରେ ଗୋଟିଏ ସଭା ମଧ୍ୟ ଆୟୋଜତି କରାଯାଇଥିଲା ଏବଂ ସମସ୍ତଙ୍କୁ ଆସିବାକୁ ମଧ୍ୟ କୁହାଯାଇଥିଲା । ଏହି ସଭାରେ ବହୁ ଆଲୋଚନା ପରେ ଗ୍ରାମରେ ଗୋଟିଏ ପୂଜା କରିବାକୁ ସ୍ଥିର କରାଯାଇଥିଲା ଏବଂ ପୂଜାରେ ଗ୍ରାମର ସମସ୍ତଙ୍କୁ ସାମିଲ୍ ହେବା ପାଇଁ କୁହାଯାଇଥିଲା । ତେବେ ଗତ ୧୭ତାରିଖରେ ଗ୍ରାମରେ ଏହି ପୂଜାର ଆୟୋଜନ କରାଯାଇଥିଲା । ପୂଜାରେ ସମସ୍ତେ ସାମିଲ୍ ହୋଇଥିବାବେଳେ ପାଣୁ ମୁଣ୍ଡା ସେ ପୂଜାକୁ ନଆସି ଫୁଟବଲ୍ ମ୍ୟାଚ୍ ଦେଖିବା ପାଇଁ ଯାଇଥିଲେ । ଏଥିରୁ ଗ୍ରାମର ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସନେ୍ଦହ ଦୃଢିଭୂତ ହୋଇଥିଲା ।
ପାଣୁ ଗୁଣିଗାରେଡି କରୁଥିବାରୁ ଲୋକଙ୍କୁ ଜ୍ୱର ହେଉଥିବା ସନେ୍ଦହରେ ୧୭ତାରିଖ ସନ୍ଧ୍ୟାରେ ପାଣୁ ଫୁଟ୍ବଲ୍ ମ୍ୟାଚ୍ ଦେଖି ଘରକୁ ଫେରୁଥିବାବେଳେ ନିଛାଟିଆ ରାସ୍ତା ଦେଖି ତାଙ୍କ ବେକରେ ପଡିଥିବା ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଥିଲେ ଗ୍ରାମର ୭ଜଣ ବ୍ୟକ୍ତି । ପରେ ମୃତଦେହକୁ ଅଖାରେ ପୂରାଇ କେନାଲ୍ ପାଣିକୁ ଫିଙ୍ଗି ଦେଇଥିଲେ । ଅନ୍ୟପଟେ ପାଣୁ ଘରକୁ ନଆସିବାରୁ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପାଣୁର କିଛି ପତ୍ତା ପାଇନଥିଲେ । ଏନେଇ ପାଣୁ ପରିବାର ପକ୍ଷରୁ ଚାନ୍ଦୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରୁଥିବାବେଳେ ପାଣୁଙ୍କ ମୃତଦେହ ଗ୍ରାମ ନିକଟସ୍ଥ କେନାଲରେ ଭାସୁଥିବା ଅବସ୍ଥାରେ ଜବତ କରିଥିଲେ । ଏହାପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ପାଣୁଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ । ସେହି ସମୟରେ ପୋଲିସ ଜଣିବାକୁ ପାଇଥିଲା ଯେ, ପାଣୁ ଗୁଣିଗାରେଡି କରୁଥିଲେ । ଏହାକୁ ନେଇ ତାଙ୍କ ସହ କେତେକ ଲୋକଙ୍କର ତିକ୍ତତା ମଧ୍ୟ ଲାଗି ରହିଥିଲା । ପୋଲିସ ଏହି ଆଧାରରେ ତଦନ୍ତ ଆରମ୍ଭ କରିବା ପରେ ପ୍ରଥମେ ଗ୍ରାମ କିଛି ଲୋକଙ୍କୁ ସନେ୍ଦହରେ ଉଠାଇ ଆଣି ପୋଲିସ ପଚରାଉଚରା କରିଥିଲେ । ପରେ ସେମାନଙ୍କ ଭିତରୁ ୭ଜଣଙ୍କୁ ଗିରଫ କରିଥିବାବେଳେ ଏହି ୭ଜଣ ଅଭିଯୁକ୍ତ ଗୁଣିଗାରେଡି ସନେ୍ଦହରେ ପାଣୁକୁ ହତ୍ୟା କରିଥିବା ପୋଲିସ ପାଖରେ ସ୍ୱୀକାର କରିଥିଲେ । ଶୁକ୍ରୁବାର ଏହି ୭ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।
