ବାରିପଦା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ବାରିପଦା ରୋଟାରୀ କ୍ଲବ ଓ କ୍ରିୟା ଫାଉଣ୍ଡେସନ, ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଆଚାର୍ଯ୍ୟ ହରିହର କ୍ୟାନସର ସ୍ନାତକୋତ୍ତର ପ୍ରତିଷ୍ଠାନ, କଟକ ସହାୟତାରେ “ଉଡାଣ” ଶୀର୍ଷକ ଏକ କର୍କଟ ରୋଗ ନିରୂପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିନିମନ୍ତେ ରୋଟାରୀ କ୍ଲବର ସଭାପତି ରୋଟାରିଆନ ରାକେଶ ସିଂଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ସ୍ଥାନୀୟ ଚିକିତ୍ସାଳୟର ଏଡିଏମ୍ଓ ଡାଃ ଜ୍ଞାନେନ୍ଦ୍ର କୁମାର ମହାନ୍ତି ମୁଖ୍ୟଅତିଥି ଏବଂବରିଷ୍ଠ ଶଲ୍ୟଚିକିତ୍ସା ବିଶେଷଜ୍ଞ ଡାଃ ଶିବାନନ୍ଦ ମହାନ୍ତି,କର୍କଟ ରୋଗ ବିଶେଷଜ୍ଞ ଡାଃ ଜ୍ୟୋତ୍ସ୍ନା ଗୋଏଲ ଓ ଡାଃ ସ୍ମୃତିସୁଦ୍ଧା ପଟ୍ଟନାୟକ ସମ୍ମାନୀୟ ଅତିଥି ଭାବେ ଯୋଗଦାନକରି କର୍କଟ ରୋଗ, ବିଶେଷ ଭାବେ ସ୍ତନ ଓ ଜରାୟୁ କର୍କଟର ଲକ୍ଷଣ,କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । କ୍ରିୟା ଫାଉଣ୍ଡେସନର ଅଧ୍ୟକ୍ଷା ଲିଲି ଜେନାମଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ସ୍ଥାନୀୟ ରୋଟାରୀ କ୍ଲବ, ରୋଟରାକ୍ଟ କ୍ଲବ, ଇନ୍ରହ୍ୱଇଲ କ୍ଲବର ସଦସ୍ୟ ବୃନ୍ଦ, ସ୍ଥାନୀୟ ଚିକିତ୍ସାଳୟର କର୍ମଚାରୀ, ଜିଲ୍ଲାର ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ରୋଟାରିଆନ ସୁନିତ ପୁରୀ ଏବଂ ଅନ୍ୟାନ୍ୟ ସଦସ୍ୟବୃନ୍ଦ ଏହାକୁ ସଫଳତାର ସହିତ ଆୟୋଜନ କରିଥିଲେ । ମୋଟ୍ ୫୧ଜଣ ବ୍ୟକ୍ତି କର୍କଟ ରୋଗ ପରୀକ୍ଷଣ ନିମନ୍ତେ ପଞ୍ଜିକରଣ କରିଥିଲେ । ତନ୍ମଧ୍ୟରୁ ୪ଜଣକୁ ମମୋଗ୍ରାଫି କରିବାପାଇଁ ଓ ୧୨ଜଣକୁ ଅଧିକ ପରୀକ୍ଷଣ ପାଇଁ ସୁପାରିଶ କରାଯାଇଥିବାବେଳେ ୩ଜଣଙ୍କର ସର୍ଭିକାଲ କ୍ୟାନ୍ସର ନିମନ୍ତେ ସେମ୍ପଲ ନିଆଯାଇଛି ।
