ବାରିପଦା : ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଦୁର୍ବ୍ୟବହାର କରିବା ମାମାଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ଅଭିଯୁକ୍ତ ତପନ କୁମାର ସାହୁ(୪୧)ଙ୍କୁ ୩ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଓକିଲ କୃଷ୍ଣଚନ୍ଦ୍ର ଦାଶ ମାମଲା ପରିଚାଳନା କରିଥିଲେ । ଘଟଣାରୁ ପ୍ରକାଶ ଯେ, ୨୦୧୫ ମସିହା ଏପି୍ରଲ୍ ମାସ ୨୨ତାରିଖରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଏନ୍ଏମ୍ ଅଞ୍ଜନାବତୀ ବେହେରା ତାଙ୍କ କାର୍ଯ୍ୟ ସାରି ଘରକୁ ଫେରିଥିଲେ । ସନ୍ଧ୍ୟାବେଳେ ଝାରପୋଖରିଆ ଥାନା ଅଞ୍ଚଳର ତପନ କୁମାର ସାହୁ ଅଞ୍ଜନାବତୀଙ୍କ ଘରେ ପହଞ୍ଚି କବାଟ ବାଡେଇ ଥିଲେ । ଅଞ୍ଜନାବତୀ କବାଟ ଖୋଲିବାରୁ ତପନ ତାଙ୍କୁ ଦୁଇ ଚାପୁଡା ମାରିବା ସହ ସାଢୀ ଟାଣିବା, ଅଶ୍ଲୀଳ ଭାଷାରେ ଗାଲିଗୁଳଜ କରିବା ଏବଂ ଜାତି ଉଠାଇ ଗାଳି ଦେଇଥିଲା । ଏନେଇ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଅଭିଯୋଗ କ୍ରମେ ଝାରପୋଖରୀଆ ଥାନାରେ ୬୦/୧୫ରେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ମଙ୍ଗଳବାର ୬ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।
