ବାରିପଦା : ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଜୁଆଳିଭଙ୍ଗା ପଞ୍ଚାୟତ ପିସିପୁର-ଭଦ୍ରାଶୋଳ ଗ୍ରାମରେ ପ୍ରେମିକାକୁ କଚାଡି ମାରିଦେଲା ପ୍ରେମିକ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଯାଇଛି । ଘଟଣାରୁ ପ୍ରକାଶ ଯେ, ପିସିପୁର-ଭଦ୍ରାଶୋଳ ଗ୍ରାମର ଦେବନା ଭକ୍ତାଙ୍କ ଝିଅ ଯାତ୍ରୀ ଭକ୍ତା(୨୨)ଙ୍କୁ ଉକ୍ତ ଗ୍ରାମର ଯୁବକ ଚାମଟୁ ନାଏକଙ୍କ ପୁଅ ଟିପୁନ ନାଏକ(୨୫) ଗତ ମଙ୍ଗଳବାର ରାତିରେ କଚାଡି ଜୀବନରୁ ମାରିଦେବା ପରେ ଶବକୁ ନିକଟସ୍ଥ ଜଙ୍ଗଲରେ ଲୁଚାଇଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ସଙ୍ଗେ ସଙ୍ଗେ ବାରିପଦା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ତେବେ ଯାତ୍ରୀଙ୍କୁ ଗତ ତିନିବର୍ଷ ହେବ ଟିପୁନ୍ ପ୍ରେମ କରୁଥିଲା । ତେବେ ଗତ ମଙ୍ଗଳବାର ସନ୍ଧ୍ୟାରେ ଦୁହେଁ ଏକତ୍ରିତ ଭାବେ ବସି କଥା ହେଉଥିବାବେଳେ ହଠାତ୍ କୌଣସି କାରଣକୁ କେନ୍ଦ୍ର କରି ଟିପୁନ୍ ଉତ୍ତ୍ୟକ୍ତ ହୋଇ ଯାତ୍ରୀଙ୍କୁ ବାଡେଇଥିଲା । ତେବେ ସେତିକିରେ ରାଗ ଶାନ୍ତ ପଡିନଥିଲା । ଶେଷରେ ଯାତ୍ରୀଙ୍କୁ ଉଠାଇ କଚାଡି ଜୀବନରୁ ମାରିଦେଇଥିଲା ଟିପୁନ୍ । ଏହାପରେ ଯାତ୍ରୀଙ୍କ ଶବକୁ ଜଙ୍ଗଲରେ ଲୁଚାଇ ରଖିଥିଲା । ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଆରମ୍ଭ କରିବା ପରେ ହତ୍ୟାକାରୀ ପ୍ରେମିକ ଟିପୁନକୁ କୌଶଳକ୍ରମେ ଗିରଫ କରିଥିବା ଜଣାପଡିଛି । ଏନେଇ ମୋରଡା ଥାନାରେ ୨୨୯/୨୨ରେ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଥିବାବେଳେ ଶବ ଜବତ କରାଯିବା ପରେ ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାତ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି ।
