ବାରିପଦା : ବାରିପଦା ଟାଉନ ପୋଲିସକୁ ମିଳିଛି ବଡ ସଫଳତା । ବାରିପଦା ସହରରେ ଏକ ବଡଧରଣର ଡକାୟତି ପାଇଁ ଯୋଜନା କରୁଥିବାବେଳେ ଏକ ବିଶେଷ ସୁତ୍ରରୁ ଖବର ପାଇ ବାରିପଦା ଟାଉନ ପୋଲିସ ଲକ୍ଷ୍ମୀପୋଷି ଅଞ୍ଚଳରେ ଅତର୍କୀତ ଚଢଉ କରି ୪ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତ ମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଏନେଇ ବାରିପଦା ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାରିପଦା ଏସଡିପିଓ କେ.କେ ହରିପ୍ରସାଦ ଓ ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ଯୋଗଦେଇ ସୂଚନା ଦେଇଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ପଡାଡିହା ଅଞ୍ଚଳର ନୃସିଂହ ଚରଣ ସାଣ୍ଡିବ୍ଗ୍ରହ(୪୭), କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ କାଞ୍ଜିଶୋଳ ଗ୍ରାମର ସିଦ୍ଧାନ୍ତ ବେହେରା(୨୦), ଧରଣୀ ନାୟକ(୨୧) ଓ ଫକୀରା ନାୟକ(୨୫)ଙ୍କୁ ଗିରଫ କରିବା ସହ ଏମାନଙ୍କ ନିକଟରୁ ଗୋଟିଏ ବୋଲେରୋ ଗାଡି, କଟର, ଡ୍ରିଲର, ଦୌଡି, କଇଁଚି ଓ ମୋବାଇଲ୍ ଆଦି ସରଞ୍ଜାମ୍ ଜବତ କରାଯାଇଛି । ବିଭିନ୍ନ ଟାୱାରରୁ ବ୍ୟାଟେରୀ ଚୋରି କରିଥିବା ନେଇ ବାରିପଦା ଟାଉନ ଥାନାରେ ୭୩୮/୨୨ ମାମଲା ରୁଜୁ ହୋଇ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏହି ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ଥିବାବେଳେ ଏମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଥିଲା ।
