ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳର ମଖୀ ସିଂ ନାମକ ଜଣେ ମହିଳା ଚଳିତ ମାସ ୨୧ତାରିଖ ଦିନ ନିଖୋଜ ଥିବା ନେଇ ଶରତ ଥାନାରେ ଏକ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ କ୍ରମେ ଶରତ ଥାନାରେ ୬୬/୨୨ରେ ଏକ ମାମଲା ରୁଜୁ ହୋଇ ଚଳିତ ମାସ ୨୩ତାରିଖ ଦିନ ମଖୀ ସିଂଙ୍କ ଶବକୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଦୋମୁହାଁଣ ନଦୀରୁ ଉଦ୍ଧାର କରାଯାଇଥିଲା । ଏନେଇ ମୟୂରଭଞ୍ଜ ଏସପିଙ୍କ ନିଦେ୍ର୍ଦଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ପୋଲିସ ପ୍ରାଥମିକ ତଦନ୍ତରୁ ନିଖୋଜ ହୋଇଥିବା ମଖୀ ସିଂ ଚଳିତ ମାସ ୧୨ତାରିଖ ରାତିରେ ଘରଜମିକୁ ନେଇ ଜଣେ ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିବା ଗ୍ରାମବାସୀଙ୍କ ନିକଟରୁ ଜାଣିବାକୁ ପାଇଥିଲେ ଏବଂ ପାଟିତୁଣ୍ଡ ହୋଇଥିବା ଏହି ଯୁବକଙ୍କୁ ଗିରଫ କରିବା ପରେ ଯୁବକ ଜଣଙ୍କ ପୋଲିସ ଆଗରେ ସବୁ ବଖାଣୀ ଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଏହି ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ତାଙ୍କ ୩ଜଣ ସହଯୋଗୀଙ୍କ ସହ ମିଶି ମଖୀ ସିଂଙ୍କୁ ବାଉଁଶ ବାଡି, କୁରାଢୀ ଏବଂ କଟୁରୀ ସାହାଯ୍ୟରେ ଜୀବନରୁ ମାରିବା ପରେ ଦୋମୁହାଁଣ ନଦୀରେ ଫିଙ୍ଗି ଦେଇଥିଲେ । ତେବେ ଏହି ୪ଜଣ ଅଭିଯୁକ୍ତଙ୍କ ସହ ଅନ୍ୟ ୬ଜଣ ସମ୍ପୃକ୍ତ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଥିଲେ । ଶନିବାର ଏହି ୧୦ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୯ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ୮ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ଏବଂ ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଶରତ ଥାନା ଅଧିକାରୀ ପ୍ରେମଦା ନାଏକ କହିଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତ ବ୍ୟବହାର କରିଥିବା ବାଉଁଶ ବାଡି, କୁରାଢୀ ଓ କଟୁରୀ ମଧ୍ୟ ଜବତ କରାଯାଇଛି ।
