ବାରିପଦା : ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଏସ୍ଏସିଆର୍ଟିଆଇ ତରଫରୁ ଏବଂ ଓମ୍ବାଡ୍ସି ସହାୟତାରେ ବାରିପଦା ବ୍ଲକ ଅନ୍ତର୍ଗତ ନଙ୍ଗଳକଟା ଠାରେ ମୁଳୁଚାନ୍ଦ କାରିଗର ଉତ୍ପାଦକ ସଂଗଠନ ଓ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ତରଡାପାଲ ଠାରେ ନିଝାରିବଡାମ କାରିଗର ଉତ୍ପାଦକ ସଂଗଠନ ଆନୁକୁଲ୍ୟରେ ଆଦିବାସୀ କାରିଗରମାନଙ୍କ ପାଇଁ ସବାଇ ଘାସ ସାମଗ୍ରୀର ବିବିଧକରଣ ଉପରେ ଅଗଷ୍ଟ ୧୦ରୁ ୧୯ତାରିଖ ପର୍ଯ୍ୟନ୍ତ ଆୟୋଜିତ ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ୟାପିତ ହୋଇଯାଇଅଛି ।
ଏହି ତାଲିମ କାର୍ଯ୍ୟକ୍ରମ ଗୁଡିକରେ ସମୁଦାୟ ୧୦୦ଜଣ କାରିଗରମାନେ ଅଂଶଗ୍ରହଣ କରିଥିଲେ । ତାଲିମ କାର୍ଯ୍ୟକ୍ରମର ଉଦ୍ୟାପନୀ ଅଧିବେଶନରେ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ମହାପାତ୍ର, ବାରିପଦା ଆଇଟିଡିଏ ସ୍ପେଶାଲ ଅଫିସର ବିଦ୍ୟୁତଲତା ମହାପାତ୍ର ଓ ବାରିପଦା ଆଇିଡିଏ ପ୍ରୋଗ୍ରାମ ମ୍ୟାନେଜର ଗଙ୍ଗାଧର ପ୍ରଧାନ ଅତିଥି ଭାବରେ ନଙ୍ଗଳକଟା ଠାରେ ଯୋଗ ଦେଇଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ମହାପାତ୍ର କାରିଗର ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ସବାଇ ସାମଗ୍ରୀର ବିବିଧକରଣ କରି ଆଦିବାସୀ କାରିଗରମାନେ ବଜାରରେ ଚାହିଦା ବଢାଇପାରିବେ ଓ ସେମାନେ ସ୍ୱାବଲମ୍ବି ହୋଇପାରିବେ । ସେହିପରି ବାରିପଦା ଆଇଟିଡିଏ ସ୍ପେଶାଲ ଅଫିସର ଶ୍ରୀମତୀ ମହାପାତ୍ର କାରିଗର ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ସେମାନେ ଶିଖିଥିବା କୌଶଳକୁ ଆଭ୍ୟାସ କରି ଅନ୍ୟ କାରିଗର ମାନଙ୍କର କୌଶଳ କିପରି ବିକାଶ କରାଯିବ ସେ ଦିଗରେ ଚେଷ୍ଟା କରିବେ ଏବଂ ଶ୍ରୀ ପ୍ରଧାନ ମଧ୍ୟ କାରିଗର ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ, ବାରିପଦା ଆଇଟିଡିଏ ସବୁବେଳେ କାରିଗରମାନଙ୍କର ଉନ୍ନତି ପାଇଁ ପ୍ରୋତ୍ସାହନ କରିବ ।
ଶେଷରେ ଅତିଥିମାନେ ଓ ତାଲିମ ଶିବିରର ମୁଖ୍ୟ ପ୍ରଶିକ୍ଷକ ଗୌତମ ମୋଦକ ତାଲିମରେ ଭାଗ ନେଇଥିବା କାରିଗର ମାନଙ୍କୁ ମାନପତ୍ର ବଣ୍ଟନ କରିଥିଲେ । ସେହିପରି ତରଡାପାଳ ଠାରେ ଚାଲିଥିବା ତାଲିମ କାର୍ଯ୍ୟକ୍ରମର ଉଦ୍ୟାପନୀ ଅଧିବେଶନରେ ଯୋଗଦେଇ ସୌମ୍ୟା ସୁରଭିତା ସିଂ, ସହନିଦେ୍ର୍ଧଶିକା, ହସ୍ତଶିଳ୍ପ ବିଭାଗ, ମୟୂରଭଞ୍ଜ ଜିଲ୍ଲା ତାଙ୍କ ବକ୍ତବ୍ୟରେ ସବାଇ କାରିଗରମାନଙ୍କୁ କହିଥିଲେ ଯେ, ଆଜିର ଦିନରେ ସବାଇଘାସ ସାମଗ୍ରୀର ବିବିଧକରଣର ଆବଶ୍ୟକତା ରହିଅଛି । ସବାଇ ସାମଗ୍ରୀର ବିବିଧକରଣ କରି କାରିଗରମାନେ ନୂଆ ଗ୍ରାହକ ଗୋଷ୍ଠୀ ସୃଷ୍ଟି କରିପାରିବେ ବୋଲି ମତପ୍ରଦାନ କରିଥିଲେ । ଏହି ଅଧିବେଶନରେ ମିଶନ ଶକ୍ତି, ବାଙ୍ଗିରିପୋଷି ବ୍ଲକ ଅଧ୍ୟକ୍ଷା ଚିତ୍ରସ୍ମିତା ପୁଟି ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏସ୍ଏସିଆର୍ଟିଆଇ ଅଞ୍ଚଳର କାରିଗର ମାନଙ୍କୁ ସଂଗଠିତ କରି ଓ ତାଙ୍କର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଉତ୍ତମ ଦୃଷ୍ଟାନ୍ତ ଦେଇ ପାରିଛି ।
ଶେଷରେ ଅତିଥିଗଣ ଓ ମୁଖ୍ୟ ପ୍ରଶିକ୍ଷକ ମୃତ୍ୟୁଞ୍ଜୟ କୁମାର ତାଲିମରେ ଭାଗ ନେଇଥିବା କାରିଗର ମାନଙ୍କୁ ମାନପତ୍ର ବଣ୍ଟନ କରିଥିଲେ । ତାଲିମ କାର୍ଯ୍ୟକ୍ରମର ସମାପନ ଅଧିବେଶନକୁ ଏସଏସିଆରଟିଆଇ ରୁ ବୁଧୁବାର ପାତ୍ର, ଚିନ୍ତାମଣୀ ମହାପାତ୍ର ଓ ଶିବପ୍ରସାଦ ପାତ୍ର ସଂଯୋଜନା କରିଥିଲେ । ମୁଲୁଚାନ୍ଦ କାରିଗର ଉତ୍ପାଦକ ସଂଗଠନ ନଙ୍ଗଲକଟାର ସଭାନେତ୍ରୀ କୁନି ସିଂ, ସମ୍ପାଦିକା ରମିତା ସିଂ ଓ କୋଷାଧ୍ୟକ୍ଷ ନିଶାମଣୀ ନାଏକ ଓ ଅନ୍ୟାନ୍ୟ ସଭ୍ୟା ତାଲିମ ଶିବିର ଆୟୋଜନ କରିବାରେ ସହଯୋଗ କରିଥିଲେ । ସେହିପରି ନିଝାରିବଡାମ କାରିଗର ଉତ୍ପାଦକ ସଙ୍ଗଠନ, ତରଡାପାଳର ସରସ୍ୱତୀ ନାଏକ, ସଭାନେତ୍ରୀ ବିନ୍ଦୁବତୀ ନାଏକ, କୋଷାଧ୍ୟକ୍ଷ୍ୟା ଓ ଅନ୍ୟାନ୍ୟ ସଭ୍ୟ/ସଭ୍ୟା ତାଲି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।
