ବାରିପଦା : ବାରିପଦା ସହରର ରଘୁନାଥପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ମୋବଇଲ ଚୋରି ଅଭିଯୋଗରେ ନିର୍ଧୁମ ଛେଚିବା ସହିତ ହାତକୁ ଦଉଡିରେ ବାନ୍ଧି ୨କିଲୋମିଟର ଚଲାଇବା ପରି ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାରୁ ପକ୍ରାଶ ଯେ, ଜଣେ ଯୁବକ ମୋବାଇଲ ଚୋରି କରିନେଇ ଯାଉଥିବାବେଳେ ଲୋକେ ସଙ୍ଘବଦ୍ଧ ହୋଇ ଅଭିଯୁକ୍ତ ଯୁବକଙ୍କୁ ନିର୍ଘାତ ପିଟିବା ସହିତ ମୁହଁ ଫଟାଇଦେଇଥିଲେ । ହେଲେ ସେତିକିରେ ରାଗ ଶାନ୍ତ ହୋଇନଥିବାବେଳେ ଯୁବକର ହାତକୁ ଦଉଡିରେ ବାନ୍ଧି ରାସ୍ତାରେ ୨କିଲୋମିଟର ଚଲାଇବା ସହ ରାଜ୍ରାସ୍ତାରେ ସମ୍ପୃକ୍ତ ଯୁବକଙ୍କୁ ସଜା ଦେଇଥିଲେ ।
ଏଭଳି ଘଟଣା ବାରିପଦା ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚି ବାପି ସାହୁ(୨୪)ଙ୍କୁ ଉଦ୍ଧାର କରି ଟାଉନ ଥାନାକୁ ଆଣିଥିଲେ । ମାତ୍ର ତାଙ୍କ ନିକଟରୁ ଚୋରି ହୋଇଥିବା ମୋବାଇଲ ପାଇନଥିଲେ । ଏନେଇ ବାପି ସାହୁଙ୍କ ମା’ଶାନ୍ତିଲତା ସାହୁଙ୍କ ଅଭିଯୋଗ କ୍ରମେ ତାଙ୍କ ପୁଅଙ୍କୁ ବିନା ଦୋଷରେ ମାର୍ପିଟ୍ କରାଯାଇଥିବା ଅଭିଯୋଗରେ ବାରିପଦା ଟାଉନ ଥାନାରେ ୭୦୦/୨୨ରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି । ଅନ୍ୟପକ୍ଷରେ ସୁଶୀଲ କୁମାର ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ ବାପି ସାହୁ ମୋବାଇଲ ଚୋରି କରିନେଇଥିବାରୁ ସେମାନେ ତାକୁ ଧରି ପିସିଆରକୁ ଜିମା ଦେଇଥିଲେ । ଏନେଇ ସୁଶୀଲଙ୍କ ଅଭିଯୋଗ କ୍ରମେ ବାରିପଦା ଟାଉନ ଥାନାରେ ୬୯୯/୨୨ ମାମଲା ରୁଜୁ ହୋଇଛି । ପୋଲିସ ଉକ୍ତ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।
