ବାରିପଦା : ବାଇଗଣବାଡିଆ ସ୍ଥିତ ରିତୋୟନୀ ବୈଷୟିକ ଶିଳ୍ପ ତାଲିମ କେନ୍ଦ୍ର ଛାତ୍ରମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀ, ପେସା ଗ୍ରାମସଭା, ଭଞ୍ଜସେନା ଆଦିବାସୀ ସେଲ୍, ମାଝୀ ପାରଗାନା ମୋହଲ, ଦଳିତ ଆଦିବାସୀ ମହାସଂଘ କୁଳିଅଣା, ବାଲେଶ୍ୱର ଆଦିବାସୀ ଛାତ୍ର ସଂଘ ବାସା, ସାର୍ନା ସେନା ଏବଂ ପ୍ରମୁଖ ଆଦିବାସୀ ସଂଗଠନ ପକ୍ଷରୁ ଚଳିତମାସ୧୭ତାରିଖ ଦିନ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ଛାତ୍ରମାନଙ୍କୁ ମାଡ ମାରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି, ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବା ବେନିୟମ ରିତୋୟନୀ ଆଇଟିଆଇ କଲେଜ ଓ ମା’ବୈଷ୍ଣ ଦେବୀ ଆଇଟିଆଇ କଲେଜକୁ ସିଲ୍ କରିବା ସହିତ ଉକ୍ତ କଲେଜରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ପାଠପଢିବାର ସୁଯୋଗ ଦେବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଏଥି ନିମନ୍ତେ ମାସାଆର୍ମୀ ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ଓ ପେସା ଗ୍ରାମସଭା ସଭାପତି ପାଣ୍ଡୁରାମ ହେମ୍ବ୍ରମଙ୍କ ଆହ୍ୱାନ କ୍ରମେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାସାଆର୍ମୀ ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁ, ଭଞ୍ଜସେନା ଆଦିବାସୀ ସେଲ ସଭାପତି ବାଜୁନ୍ ହାଁସଦାଃ, ପେସା ସମ୍ପାଦକ ନୁନାରାମ୍ ମୁର୍ମୁ, ମାଝୀ ପାରଗାନା ମୋହନ ରାଇସେନ୍ ମୁର୍ମୁ, ଫାଗୁ ଟୁଡୁ ଓ ବାସା ସଭାପତି ପ୍ରଦୀପ ମାରାଣ୍ଡି ସମେତ ପ୍ରମୁଖ ଆଦିବାସୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ବନ୍ଦକୁ ସଫଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।
