ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ ଦିବ୍ୟାଙ୍ଗ ଯୁବକଙ୍କୁ ଅକଥନୀୟ ମାଡ ଓ ପାଦ ଚାଟିବା ଭିଡିଓ ଭାଇରାଲ, ବନ୍ଧା ହେଲେ କେନ୍ଦ୍ରର ମାଲିକ ଓ ସହଯୋଗୀ
ବାରିପଦା : ବାରିପଦା ସହରରେ ଥିବା ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ମାଲିକ ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ବିଭିନ୍ନ ସମୟରେ ଅନ୍ତେବାସୀଙ୍କୁ ଦିଆଯାଉଥିବା ନିର୍ଯାତନା ସମସ୍ତ ସୀମା ଉଲଂଘନ କରିଛି । ଉକ୍ତ କେନ୍ଦ୍ରରେ କିପରି ତାଲିବାନୀ ଶାସନ ଚାଲୁଥିଲା ତାହାର ନମୁନା ଦେଖୀବାକୁ ମିଳିଛି । ଏକ ଦିବ୍ୟାଙ୍ଗ ଯୁବକଙ୍କୁ ଉକ୍ତ କେନ୍ଦ୍ରରେ ଅମାନୁଷିକ ଭାବରେ କେନ୍ଦ୍ରର ମାଲିକ ଅବନୀ ପତି ଓ ତାଙ୍କ ସହଯୋଗୀ ପିତବାସ ରାଉଳ ଏକ ପ୍ଲାଷ୍ଟିକ ପାଇପରେ ପିଟିବା ସହ ତାଙ୍କ ପାଦ ଚାଟିବାକୁ ବାଧ୍ୟ କରୁଥିବାର ଏକ ଭାଇରାଲ ଭିଡିଓ ମୋବାଇଲ ରୁ ମୋବାଇଲ୍ ଘୁରୁଛି । ଏହି ଦୃଶ୍ୟ ଦେଖିବା ପରେ ବାରିପଦା ସହରରେ ହଇଚଇ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଥିବାବେଳେ ଅନେକଥର ଅନ୍ତବୋସୀମାନେ ଖସି ପଳାଇଥିବା ନଜିର ମଧ୍ୟ ରହିଛି । ବିଭିନ୍ନ ଅରାଜକତା ଚାଲୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିବାବେଳେ ନିଶା ନିବାରଣ କେନ୍ଦ୍ରର ମୁଖ୍ୟଙ୍କ ନାମରେ ହତ୍ୟା ଅଭିଯୋଗ ପରି ସଙ୍ଗୀନ୍ ଅଭିଯୋଗ ମଧ୍ୟ ହୋଇଛି । ଅନ୍ତେବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ତଥା ନିଶାମୁକ୍ତ କରିବାକୁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରକୁ ପଠାଇ ଥାଆନ୍ତି । ହେଲେ ସେଠାରେ ବନ୍ଦ କୋଠରୀରେ ସେମାନଙ୍କ ଉପରେ ଅମାନୁଷିକ ନିର୍ଯାତନା ହେଉଥିବାବେଳେ ବହୁ ସମୟରେ ମାଡ ସହିନପାରି ଅନ୍ତେବାସୀଙ୍କ ଅକାଳ ମୃତୁ୍ୟ ଘଟୁଥିବା ଅଭିଯୋଗ ହେଉଛି । ଜଣେ ଭିନ୍ନକ୍ଷମ ଯୁବକ, ଯିଏକି ବାଟ ଚାଲିବାକୁ ସକ୍ଷମ ନୁହନ୍ତି, ତାଙ୍କୁ ବାଟକୁ ଆଣିବାକୁ ଏପରି ନିର୍ଯାତନା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜିର ଏହି ଭାଇରାଲ ଭିଡିଓ ଦେଖିବା ପରେ ବାରିପଦା ଟାଉନ ପୋଲିସ ଉକ୍ତ କେନ୍ଦ୍ରକୁ ଯାଇ କେନ୍ଦ୍ରର ମାଲିକ ଅବନୀ ପତି ଓ ତାଙ୍କ ସହଯୋଗୀ ପିତବାସ ରାଉଳଙ୍କୁ ଗିରଫ କରିଛନ୍ତି । ଅପରପକ୍ଷରେ ଦିବ୍ୟାଙ୍ଗ ସଂଘର ସଭାପତି ତଥା ଜାଗ୍ ମୟୂରଭଞ୍ଜ ଜାଗ୍ର ମୁଖ୍ୟ ଅରୁଣ ବେହେରାଙ୍କ ଅଭିଯୋଗ କ୍ରମେ ବାରିପଦା ଟାଉନ ଥାନାରେ ୩୪୧, ୩୨୩, ୩୨୪, ୩୦୭ ଓ ୩୪ ଆଇପିସି ଧାରାରେ ୬୬୯/୨୨ ମାମଲା ରୁଜୁ କରାଯାଇଛି । ଏଥିସହ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାରିପଦା ଏସଡିପିଓ କେ.କେ ହରିପ୍ରସାଦ ଓ ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ଯୋଗଦେଇ ଏହି ଘଟଣାର ପଙ୍ଖାନୁପଙ୍ଖ ତଦନ୍ତ କରାଯିବା ସହ ଉକ୍ତ କେନ୍ଦ୍ରର ଲାଇସେନ୍ସକୁ ରଦ୍ଦ କରାଯିବା ପାଇଁ ଜିଲ୍ଲାପ୍ରଶାସନକୁ ଅବଗତ କରାଯାଇଥିବା ନେଇ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଦିଆଯାଉଥିବା ନିର୍ଯାତନାର ଭିଡିଓ ଗୋଟିଏ ପରେ ଗୋଟିଏ ଭାଇରାଲ ହେବାରେ ଲାଗିଛି ।
