ବାରିପଦା : ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ ସଫଳତା । ସୋମବାର ରାତିରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ପାଲବଣୀ ନିକଟରୁ ୪ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ୩ କୁଇଣ୍ଟାଲ୍ ୮୧ କିଲୋରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ କରାଯିବା ସହ ୩ଟି ବିଳାସମୟ କାର ସହ ମୋଟ୍ ୭୨ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଓଡିଶା-ଆନ୍ଧ୍ର ବୋର୍ଡରୁ ବିପୁଳ ପରିମାଣର ଗଞ୍ଜେଇ ୩ଟି କାର୍ରେ ଝାଡଖଣ୍ଡ ରାଜ୍ୟକୁ ଚାଲାଣ କରାଯାଉଥିବା ଖବର ଏକ ବିଶେଷ ସୁତ୍ରରୁ ପୋଲିସକୁ ମିଳିଥିଲା ।
ଏନେଇ ପୋଲିସ ବିଭାଗ ଏକ ସ୍ୱତନ୍ତ୍ର ଟିମ୍ ବାରିପଦା ସହର ନିକଟ ରାଜପଥରେ ଜଗି ରହି କିୟା ସେଲଟରସ୍, ମାରୁତି ସୁଜୁକି ଡିଜାୟାର ଓ ହ୍ୱଣ୍ଡାଇ ଆଇ-୨୦ ଗାଡିକୁ ଜବତ କରିବା ସହ ଇଷ୍ଟ୍ସିଂଭୂମ ଅଞ୍ଚଳ ସେକ୍ ସୌକାତ୍(୩୩), ରିଜୁ୍ୟଆନ୍ ଅନସାରୀ(୩୫), ପ୍ରେମ୍ ସିଂସର୍ଦ୍ଦାର(୨୫) ଓ ଲକ୍ଷ୍ମଣ ମୁର୍ମୁ(୧୯)ଙ୍କୁ ଗିରଫ କରିଥିବାବେଳେ ରାଜା ହିନ୍ଦୁସ୍ତାନୀ, ଅଜଗର ଓ ଫିରଜ ଉକ୍ତ କାରବାରରେ ସମ୍ପୃକ୍ତ ଥିବାବେଳେ ଫେରାର ଥିବା ଜଣାଯାଇଛି । ଏମାନଙ୍କ ନିକଟରୁ ୪ଟି ମୋବାଇଲ ଓ ୪ଟି ନକଲି ନମ୍ବର ପ୍ଲେଟ୍ ଜବତ କରାଯାଇଛି ।
ଏଥିସହ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୩୮ଲକ୍ଷଟଙ୍କା ରୁ ଉଦ୍ଧ୍ୱର୍ ବୋଲି ଜଣାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଲାଇଛି ବୋଲି ମୟୂରଭଞ୍ଜ ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀ ମଙ୍ଗଳବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିସହ ଏହି ଗଞ୍ଜେଇ ବେପାରୀ ମାନେ ଯେଉଁ ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ ଉକ୍ତ ଅଞ୍ଚଳରେ ପୋଲିସକୁ ସନେ୍ଦହ ନହେବା ପାଇଁ ନକଲି ନମ୍ବର ପ୍ଲେଟ ଗାଡିରେ ଲଗାଇ ଯାତାୟତ କରୁଥିଲେ । ଏହି ଚଢଉ ବାରିପଦା ଏସଡିପିଓ କେକେ ହରିପ୍ରସାଦ, ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି, ସବ୍ଇନ୍ସପେକ୍ଟର ରଞ୍ଜନ ବେହେରା ଓ ଅଜିତ୍ ସାହୁ ପ୍ରମୁଖଙ୍କ ସହ ପୋଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଏନେଇ ବାରିପଦା ଟାଉନ ଥାନାରେ ୫୪୬/୨୨ରେ ମାମଲା ରୁଜୁ ହୋଇଛି ।
