ବାରିପଦା : ବାରିପଦା ବନଖଣ୍ଡ ପକ୍ଷରୁ ଏକ ଚୋରାକାଠ ଗାଡିକୁ ଅଟକାଇବା ବେଳେ ୯ଜଣ ଦୃର୍ବତ୍ତ ତିନୋଟି ମଟରସାଇକେଲରେ ଆସି ଫରେଷ୍ଟଗାର୍ଡ ଓ ତାଙ୍କ ସହଯୋଗୀଙ୍କୁ ମରଣାତ୍ମକ ଆକ୍ରମଣ କରି ଫେରାର ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯେ, ବାରିପଦା ବନଖଣ୍ଡ ପକ୍ଷରୁ ଏକ ହାତୀକୁ ଘଉଡେଇବା ପାଇଁ ଜ୍ୟୋତିପୁର ମଞ୍ଚାବନ୍ଧା ଅଞ୍ଚଳରେ ଗୁରୁବାର ରାତି୍ରରେ ପେଟ୍ରୋଲିଂ କରାଯାଉଥିଲା ।
ଶୁକ୍ରୁବାର ସକାଳୁ ପେଟ୍ରୋଲିଂ ସାରି ଫେରୁଥିବାବେଳେ ମହୁଲିଆ ନିକଟରେ ଏକ ପିକ୍ଅପ୍ରେ ଚୋରାକାଠ ଚାଲାଣ ହେଉଥିବାବେଳେ ବନବିଭାଗ କର୍ମଚାରୀମାନେ ଉକ୍ତ ଗାଡିକୁ ଧରିଥିଲେ । ମାତ୍ର ପିକ୍ଅପ୍ ଡ୍ରାଇଭର ଓ ହେଲ୍ପର ଗାଡିକୁ ରଖି ଖସିଯାଇଥିଲେ । ପରେପରେ ତିନୋଟି ମଟରସାଇକେଲରେ ୯ଜଣ ଦୃର୍ବତ୍ତ ଆସି କାର୍ଯ୍ୟରେ ଥିବା ଫୋରେଷ୍ଟଗାର୍ଡ ଛତିଶ ମହାନ୍ତ(୨୮) ଓ ତାଙ୍କ ସହଯୋଗୀ ବନକର୍ମଚାରୀ ଶତୃଘନ ମହାନ୍ତ(୨୬)ଙ୍କୁ ମରଣାତ୍ମକ ଆକ୍ରମଣ କରି ମୁଣ୍ଡଫଟାଇ ଦେବା ସହ ପିକ୍ଅପ୍ଟିକୁ ନେଇ ଖସିଯାଇଥିଲେ ।
ଏନେଇ ବାରିପଦା ବନଖଣ୍ଡ ପକ୍ଷରୁ ଅଭିଯୋଗ କ୍ରମେ ବାରିପଦା ସଦରଥାନାରେ ୩୦/୨୦ ମାମଲା ରୁଜୁ ହୋଇ ଘଟଣାର ପଙ୍ଖାନୁପଙ୍ଖ ତଦନ୍ତ କରାଯାଉଛି ।