ବାରିପଦା : ଗଛ ପଡି ଫାୟାରମ୍ୟାନ୍ ଗୁରୁତର । ବାରିପଦା ସହରର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ହଠାତ୍ ଏକ ଗଛ ପଡିଯିବାରୁ ଉକ୍ତ ରାସ୍ତା ଦେଇ ଯାଉଥିବା ମୟୂରଭଞ୍ଜ ଜିଲ୍ଲା ଅଗ୍ନିଶମ ବିଭାଗର ଫାୟାରମ୍ୟାନ୍ ବ୍ରଜକିଶୋର ମହାନ୍ତି(୩୨) ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲାର ନହରପାଟଣା ଅଞ୍ଚଳର ବ୍ରଜକିଶୋର ମହାନ୍ତି ଯିଏକି ମୟୂରଭଞ୍ଜ ଜିଲ୍ଲା ଅଗ୍ନିଶମ ବିଭାଗର ଫାୟାରମ୍ୟାନ୍ ଭାବେ କାର୍ଯ୍ୟରତ । ଫାୟାରମ୍ୟାନ୍ ମହାନ୍ତି ଶୁକ୍ରୁବାର ସନ୍ଧ୍ୟାରେ ନିଜ ସ୍କୁଟିରେ ବିଜୁ ପଟ୍ଟନାୟକ ପାର୍କ ଦେଇ ଯାଉଥିବାବେଳେ ହଠାତ୍ ବରଗଛଟି ତାଙ୍କ ଉପରେ ପଡିଯାଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଗଛକାଟି ଫାୟାରମ୍ୟାନ୍ ଜଣଙ୍କୁ ଉଦ୍ଧାର କରି ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିସôା ପାଇଁ ଭର୍ତ୍ତି କରିଥିଲେ । ଫାୟାରମ୍ୟାନ୍ ମହାନ୍ତିଙ୍କ ଅଣ୍ଟା ପାଖରୁ ଦୁଇଟି ଗୋଡରେ ପ୍ରବଳ ଆଘାତ ଲାଗିଛି ଏବଂ ସେ ଗୁରୁତର ଥିବା ଜଣାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଉକ୍ତ ସ୍ଥାନରେ ଏକ ଗଛ ପଡି ଜଣେ ଯୁବକଙ୍କର ମୃତୁ୍ୟ ହୋଇଥିଲା । ଏନେଇ ପୂର୍ବରୁ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଗଛଗୁଡିକୁ କାଟିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବାବେଳେ ନା ଏଥିପ୍ରତି ବନବିଭାଗ, ନା ଏଥିପ୍ରତି ପୌରପରିଷଦର ନଜର ରହିଥିଲା । ଉଭୟ ବିଭାଗ ଏଥିପ୍ରତି ନଜର ରହିଥିଲେ ଏହିପରି ଘଟଣାର ପୁନରାବୃତ୍ତି ହୋଇନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
