ବାରିପଦା : ଆଦିବାସୀ ଅଧ୍ୟୁଷିତ, ଅବହେଳିତ ଓ ଅନଗ୍ରସର ମୟୂରଭଞ୍ଜ ଜିଲ୍ଲାରେ ରେଳୱାଇ କ୍ଷେତ୍ରରେ ସୁଧାର ଓ ବିକାଶ ଦାବିରେ ଭୁବନେଶ୍ୱରରେ ବରିଷ୍ଠ ବିଜେପି ନେତା କବିବିଷ୍ଣୁ ଶତପଥୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସାକ୍ଷାତ ସମୟରେ ମୟୂରଭଞ୍ଜରେ ଅନ୍ୟାନ୍ୟ ରେଳ ସୁଧାର, ସଂସ୍କାର ଓ ବିକାସ ସାଙ୍ଗକୁ ଭିତ୍ତିଭୂମିଗତ ଉନ୍ନତି, ରେଳପଥ ସମ୍ପ୍ରସାରଣ ଓ ନୂତନ ରେଳପଥ ନିର୍ମାଣ ସମ୍ପର୍କରେ ମଧ୍ୟ ଶତପଥୀ ମନ୍ତ୍ରୀ ବୈଷ୍ଣବଙ୍କ ସହ ଚର୍ଚ୍ଚା କରିଥିଲେ ।
ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ୫ଦଫା ଦାବି ସମ୍ବଳିତ ସ୍ମାରକପତ୍ରଟିରେ ସକାଳେ ଓ ସନ୍ଧ୍ୟାରେ ବାରିପଦାରୁ ରୁପ୍ସା ଯାଉଥିବା ଟ୍ରେନର ଗତିପଥକୁ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବା, ଭଞ୍ଜପୁର-ପୁରୀ ସାପ୍ତାହିକ ଟ୍ରେନଟିର ଦୈନିକ ଚଳାଚଳ ସହ ଏଥିରେ ସ୍ଲିପର କୋଚ୍ ଓ ଶୀତ-ତାପ-ନିୟନ୍ତ୍ରିତ କୋଚ୍ର ବ୍ୟବସ୍ଥା କରିବା, ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ରେଳଗାଡିଟିରେ ଅନୂ୍ୟନ ଆଉ ଗୋଟିଏ ବାତାନୁକୂଳିତ କୋଚ୍ ଯୋଡାଯିବା, ଏହି ଟ୍ରେନକୁ ସପ୍ତାହରେ ତିନିଦିନ ପୁରୀ ଓ ଅନ୍ୟ ତିନିଦିନ ବ୍ରହ୍ମପୁର ପର୍ଯ୍ୟନ୍ତ ଚଲାଯିବା ତଥା ରୂପ୍ସା-ବାଙ୍ଗିରିପୋଷି ରେଳପଥକୁ ଗୋରୁମହିଷାଣୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରି ଟାଟା-ବାଦାମପାହାଡ ରେଳପଥ ସହ ସଂଯୋଗ କରିବା, କେନ୍ଦୁଝର ଓ ବାଦାମପାହାଡକୁ ସଂଯୋଗ କରାଯିବା ଏବଂ ନୀଳଗିରି, ଶରତ, କପ୍ତିପଦା, ଉଦଳା, ଖୁଣ୍ଟା, ବାରିପଦା, କୋଷ୍ଠା, ଶୁଳିଆପଦା ଆଦି ଅଞ୍ଚଳ ଦେଇ ଯିବାକୁ ଥିବା ଖଡଗପୁର-ଭଦ୍ରାଚଳମ ରେଳପଥ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଆଦି ସ୍ଥାନ ପାଇଥିବା ଜଣାଯାଇଛି । ଏହି ପ୍ରତିନିଧି ଦଳଟିରେ ଆଇନ୍ଜିବୀ ଲିଙ୍ଗରାଜ୍ ମିଶ୍ର, ସାମାଜିକ କର୍ମୀ ଚିନ୍ମୟ ବୋଡେ ତଥା ରଞ୍ଜନ ନାୟକ, ପ୍ରବୀର ଦାସବାବୁ, ଗୋରାଚାନ୍ଦ ମହାନ୍ତ ଓ ବିଶ୍ୱଜିତ୍ ରଣା ପ୍ରମୁଖ ଉପସ୍ଥିତ ଥିଲେ ।
