Odisha news

ଜାତୀୟ ଛଉ ପର୍ବରେ ପ୍ରୋଜେକ୍ଟ ଛାଉଣୀର ନୃତ୍ୟ ପ୍ରଦର୍ଶନ

0

ବାରିପଦା : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ନୂଆଦିଲ୍ଲୀ ସ୍ଥିତ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ଜାତୀୟ ଛଉ ପର୍ବରେ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ମୟୂରଭଞ୍ଜ ଛଉନୃତ୍ୟ ପ୍ରଦର୍ଶିତ ହୋଇଛି । ଏହି ଛଉ ପର୍ବରେ ଆମ ଦେଶରେ ଥିବା ତିନିପ୍ରକାର ଛଉ ନୃତ୍ୟ ଶୈଳୀ ଯଥା ମୟୂରଭଞ୍ଜ, ଷଢେଇକଳା ତଥା ପୁରୁଲିଆ ଶୈଳୀର ନୃତ୍ୟ ପରିବେଷଣ ସାଙ୍ଗକୁ ଛଉନୃତ୍ୟକୁ ନେଇ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ନାଗାଲାଣ୍ଡ ରାଜ୍ୟର ମକକଚୁଙ୍ଗ ଠାରେ ଏହାର ଆୟୋଜନ କରିଥିଲେ । ଏଥିରେ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ଗୁରୁ ତି୍ରଲୋଚନ ମହାନ୍ତଙ୍କ ନେତୃତ୍ୱରେ ନୃତ୍ୟ ଶିଳ୍ପୀ, ସଚିନା ଧଡା, ପ୍ରବୀଣ ଦାସ, ଶିବଚରଣ ମହାନ୍ତ, ଲଲଟୁ ମହାନ୍ତ, ବାବଲି ମହାନ୍ତ, ଗୁରୁ ପ୍ରସାଦ ମହାନ୍ତ, ଲୋହିତ ମହାନ୍ତ, ବେଞ୍ଜାମିନ ମହାନ୍ତ, ଗହ୍ମା ମୁଣ୍ଡା, ରବିନ ସିଂ ଓ ବାଦ୍ୟଶିଳ୍ପୀ ଅଶୋକ ବୈଠା, ଛତିଶ ଧଡା, ବିକାଶ ଘଢେଇ ଏବଂ ବିକାଶ ମହାନ୍ତ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସେମାନେ ଶବର ଟୋକା ଏବଂ ରୁକମାର ନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଛଉ ନୃତ୍ୟର ସଂରକ୍ଷଣ ସାଙ୍ଗକୁ ଅଧିକ ପ୍ରଚାର ପ୍ରସାର କରି ଏହାର ପୂର୍ବ ଗୌରବର ପୁନଃ ପ୍ରତିଷ୍ଠା କରିବା ଉଦେ୍ଦଶ୍ୟରେ ତତ୍କାଳୀନ ମୟୂରଭଞ୍ଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ୨୦୧୬ ମସିହାରେ ପ୍ରୋଜେକ୍ଟ ଛାଉଣୀର ସ୍ଥାପନା କରିଥିଲେ । ଛଉନୃତ୍ୟ ଶିଳ୍ପୀ ତଥା ଗବେଷିକା ଶୁଭଶ୍ରୀ ମୁଖାର୍ଜୀ ଏହାର ରୂପରେଖ ପ୍ରସ୍ତୁତ କରିଥିଲେ । ଇତି ମଧ୍ୟରେ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ମୟୂରଭଞ୍ଜ ଛଉନୃତ୍ୟ ପ୍ରଦର୍ଶନ କରାଯାଇ ଆସୁଥିବାବେଳେ ଗତ ନଭେମ୍ବର ମାସରେ ଭାରତ ସରକାରଙ୍କ ବୈଦେଶୀକ ମନ୍ତ୍ରାଳ ପକ୍ଷରୁ ୱେଷ୍ଟଇଣ୍ଡିଜ୍ ଏବଂ ସାଉଥ ଆମେରିକା ଗସ୍ତରେ ଯାଇ ବାରଗୋଟି ସହରରେ କଳାକାର ମାନେ ନୃତ୍ୟ ପରିିବେଷଣ କରିବା ସହିତ ପାଞ୍ଚ ଗୋଟି କର୍ମଶାଳାର ଆୟୋଜନ ମଧ୍ୟ କରିଥିଲେ । ଆନ୍ତଜାର୍ତିକ ସ୍ତରରେ ମୟୂରଭଞ୍ଜର ଏହି ସ୍ୱତନ୍ତ୍ର ତଥା ନିଆରା କଳାକୁ ପ୍ରଦର୍ଶନ କରି ନିଜ ଜିଲ୍ଲା ତଥା ଦେଶ ପାଇଁ ପ୍ରଶଂସା ଗୋଟାଇ ପ୍ରତ୍ୟାବର୍ତ୍ତନ କରିଥିଲେ ।

Leave A Reply