ବାରିପଦା ; ଦିପାବଳୀ ଅବସରରେ ଓଡିଶାର ବିଶ୍ୱସ୍ତରୀୟ ଉକୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଭୁବନେଶ୍ୱରର ହାଇଟେକ୍ ମେଡିକାଲ କଲେଜ ହସ୍ପିଟାଲ ଏବଂ ଅକ୍ଷୟ ଆରୋଗ୍ୟମ୍ର ମିଳିତ ସହଭାଗିତାରେ ବାରିପଦାର ମୁଖ୍ୟମାର୍କେଟ ଟ୍ରାଫିକ ଛକଠାରେ ପ୍ରଥମଥର ପାଇଁ ରେଫାରେଲ ସେଣ୍ଟର ଓ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ସନ୍ଧ୍ୟାରେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ନିଦେ୍ର୍ଦଶକ ଡାଃ ରାକେଶ ପାଣିଗ୍ରାହୀ ଉଦ୍ଘାଟନ ଉତ୍ସବ ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ବାରିପଦାରେ ପ୍ରଥମଥର ପାଇଁ ଏହିଭଳି ରେଫାରେଲ କେନ୍ଦ୍ର ସ୍ଥାପିତ ହୋଇଛି ।
ଏହି ରେଫାରେଲ କେନ୍ଦ୍ର ଦ୍ୱାରା ମୟୂରଭଞ୍ଜ ଜିଲ୍ଲା ଓ ପଡୋଶୀ ଜିଲ୍ଲା କେନ୍ଦୁଝର ଓ ଝାଡଖଣ୍ଡ ତଥା ପଶ୍ଚିମବଙ୍ଗର ସୀମାନ୍ତ ଅଂଚଳ ରୋଗୀମାନେ ଉପକୃତ ହୋଇ ପାରିବେ । ବିଶେଷତଃ ଗ୍ରାମାଂଚଳର ଅଭାବୀ, ଦାରିଦ୍ର୍ୟ ସୀମାରେଖା ତଳେ ଓ ମଧ୍ୟବିତ୍ତୀ ଗୋଷ୍ଠୀର ରୋଗୀମାନେ ଏହି ରେଫାରେଲ ସେଣ୍ଟରରେ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କୃଷକ ଯୋଜନା ଅଧୀନରେ ସ୍ୱାସ୍ଥ୍ୟସେବା ପାଇବା ସହିତ ଅଳ୍ପଖର୍ଚ୍ଚରେ ଉତ୍ତମ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ରୋଗ ନିରୂପଣ ଓ ନିଦାନ ପାଇଁ ପରାମର୍ଶ ପାଇ ପାରିବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ହାଇଟେକ୍ ମେଡିକାଲ କଲେଜ ହସ୍ପିଟାଲର ସିଇଓ ସୁଶାନ୍ତ କୁମାର ଆାଚାର୍ଯ୍ୟ ପୂର୍ବ ଭାରତରେ ପ୍ରଥମେ ବେସରକାରୀଭାବେ ହାଇଟେକ୍ ମେଡିକାଲ କଲେଜ ହସ୍ପିଟାଲ ସ୍ଥାପିତ ହୋଇଥିବା ସହିତ ସ୍ୱଳ୍ପ ବ୍ୟୟରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ରହିଛି ବୋଲି ପ୍ରକାଶ କରିଥିଲେ । ଅକ୍ଷୟ ଆରୋଗ୍ୟମ୍ ରେଫାରେଲ କେନ୍ଦ୍ର ବର୍ଷିୟାନ ଡଃ ବିଜୟ କୁମାର ଅଗର୍ରୱାଲା ଓ ରାଜ୍ୟସରକାରଙ୍କ ପୂର୍ବତନ ଯୁଗ୍ମ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାଃ ବିନୟ କୁମାର ଅଗ୍ରୱାଲାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟସରକାରଙ୍କର ପୂର୍ବତନ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାଃ ସଂଜୀବନୀ ଅଗ୍ରୱାଲା ମଧ୍ୟ ଉପସ୍ଥିତ ଥିଲେ । ପୂର୍ବ ଭାରତର ସୁନାମଧନ୍ୟ ହାଇଟେକ୍ ମେଡିକାଲ କଲେଜ ଓଡିଶା ତଥା ଓଡିଶା ବାହାରର ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତ ଅଂଚଳର ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଆସୁଛି । ଅକ୍ଷୟ ଆରୋଗ୍ୟମ୍ ରେଫାରେଲ ଓ ଇନ୍ଫର୍ମେସନ କେନ୍ଦ୍ର ଉଦ୍ଘାଟିତ ହେବା ଫଳରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ରୋଗୀମାନେ ଅଧିକ ସ୍ୱାସ୍ଥ୍ୟସେବା ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇ ଆଉ ଦୂର ଭୁବନେଶ୍ୱର ବା କଟକକୁ ଯିବାକୁ ପଡିବନାହିଁ ।
ଏଠାରେ ପ୍ରତ୍ୟେକ ଦିନ ଉତ୍ତମ ବିଶେଷଜ୍ଞମାନଙ୍କ ଦ୍ୱାରା ରୋଗ ନିରୂପଣ ଓ ନିଦାନ ପାଇଁ ରୋଗୀମାନଙ୍କୁ ପରାମର୍ଶ ଦେବାର ବ୍ୟବସ୍ଥା ରହିଛି । ଏହି ଅକ୍ଷୟ ଆରୋଗ୍ୟମ୍ର ନିଦେ୍ର୍ଦଶକ ଅକ୍ଷୟ କୁମାର ଅଗ୍ରୱାଲା ଉପସ୍ଥିତ ସାମ୍ବାଦିକମାନଙ୍କୁ ଏହି ରେଫାରେଲ କେନ୍ଦ୍ରରେ ହୃଦ୍ୟରୋଗ, ସ୍ନାୟୁରୋଗ, ଅସ୍ଥିଶଲ୍ୟ ରୋଗ, ପାକସ୍ଥଳୀୟ ରୋଗ, ମନୋବିଜ୍ଞାନ ସମ୍ବନ୍ଧୀୟ ରୋଗ, ସ୍ତ୍ରୀରୋଗ, ଚକ୍ଷୁ ରୋଗ, ଦନ୍ତରୋଗ ଓ ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗର ବିଶେଷଜ୍ଞ ଡାକ୍ତରମାନେ ଏହି ରେଫାରେଲ ସେଣ୍ଟରକୁ ପ୍ରତ୍ୟହ ଆସି ରୋଗୀମାନଙ୍କ ପରୀକ୍ଷା ସହିତ ପରାମର୍ଶ ଦେବାର ବ୍ୟବସ୍ଥା ରହିଛି । ଏହି କେନ୍ଦ୍ରରେ ପ୍ୟାଥଓଲୋଜି ଓ ଫିଜିଓଥେରାପି ସହିତ ଦିନରାତି ୨୪ ଘଣ୍ଟା ଫାର୍ମାସି ସେବା ଦିଆଯିବାର ବ୍ୟବସ୍ଥା ରହିଛି ବୋଲି ହାଇଟେକ୍ ମେଡିକାଲ କଲେଜର ମାର୍କେଟିଂ ନିଦେ୍ର୍ଦଶକ ଅବିନାଶ ପାଣି କହିଛନ୍ତି । ଏହି ଉଦ୍ଘାଟନ ଉତ୍ସବରେ ସାମାଜିକ ଦୂରତା ବଜାୟ ରଖାଯାଇ ଅତିଥିଭାବେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
