ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଜଣେ ନିର୍ଭୀକ ଓ କର୍ତ୍ତବ୍ୟନିଷ୍ଠ ରାଜନେତ୍ରୀ ଭାବେ ଯୁବନେତ୍ରୀ ଛବି ମାହାଲୀ ବିଶେଷ ଭାବେ ପରିଚିତ । ବାଙ୍ଗିରିପୋଷି ଅଞ୍ଚଳର ଝିଅ ଛବି ରାଜନୀତିରେ ପାଦ ଥାପିବା ଦିନଠାରୁ ଯୁବବର୍ଗଙ୍କ ମଧ୍ୟରେ ବେଶ ଆଦୃତ ହୋଇଛନ୍ତି । ନିଜର ନିଆରା ରାଜନୈତିକ ଶୈଳୀ ଓ ସମ୍ମୁଖ ଭାଗରେ ରହି ନେତୃତ୍ୱ ନେବାର କଳାତାଙ୍କୁ ବେଶ ଲୋକପ୍ରିୟତା ପ୍ରଦାନ କରିଛି ।
ପୂର୍ବରୁ ବିଜେପିରେ ରହିଥିବା ସମୟରେ ନିଜର ନିଆରା ନେତୃତ୍ୱ ଶୈଳୀ ନିମନ୍ତେ ବାଙ୍ଗିରିପୋଷି ଦାୟିତ୍ୱରେ ଥାଇ ଦୁଇଟି ଜିଲ୍ଲାପରିଷଦ ସିଟ୍ରେ ବିଜେପିକୁ ବିଜୟୀ କରାଇବାରେ ମୁଖ୍ୟଭୂମିକା ତୁଲାଇଥିଲେ । କ୍ରମାଗତ ଅଣଦେଖା ଓ ଷଡଯନ୍ତ୍ରର ଶିକାର ହେବାପରେ ବିଜେପି ଛାଡି ଶାସକଦଳ ବିଜେଡିରେ ଯୋଗଦେଇଥିଲେ । ତାଙ୍କର କାର୍ଯ୍ୟଦକ୍ଷତାକୁ ଆଖିରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ତାଙ୍କୁ ଖୁବ୍ ନିକଟରେ ବିଜେଡିର ରାଜ୍ୟ ଯୁବ ଉପସଭାପତି ଭଳି ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି । ଯାହା ଆଗାମୀଦିନରେ ଛବିଙ୍କର ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ବଡଧରଣର ଭୂମିକାକୁ ସୁଚାଉଛି ।
ତାଙ୍କର ଏହି ନୂତନ ନିଯୁକ୍ତି ଖବର ମୟୂରଭଞ୍ଜରେ ପ୍ରଚାରିତ ହେବାପରେ ଖୁସିରଲହରୀ ଖେଳାଇ ଦେଇଛି । ତାଙ୍କ ଉପରେ ଆସ୍ଥାପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମୟୂରଭଞ୍ଜ ଜିଲ୍ଲାପ୍ରଭାରୀ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୁବବ୍ୟାପାର ସାଧାରଣସମ୍ପାଦକ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିସହ ଜିଲ୍ଲାର ସମସ୍ତ ବରିଷ୍ଠ ନେତୃବୃନ୍ଦ ଏବଂ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିବାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସଶକ୍ତ ଓଡିଶା ଗଠନରେ ଅଧିକରୁ ଅଧିକ ଯୁବଗୋଷ୍ଠୀଙ୍କୁ ସଂଗଠିତ କରିବା ପାଇଁ ଯେଉଁ ଆହ୍ୱାନ ଦେଇଛନ୍ତି ତାହାକୁ ବିଜୁଜନତା ଦଳ ସାକାର କରିବାପାଇଁ ପ୍ରତିଶୃତିବଦ୍ଧ ବୋଲି ଯୁବନେତ୍ରୀ ଛବି ମାହାଲି ପ୍ରକାଶ କରିଛନ୍ତି ।
