ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତୁ୍ୟ ହେବାପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ମୃତକଙ୍କ ମଧ୍ୟରୁ ଜଣେ ସ୍କୁଲଛାତ୍ର ହୋଇଥିବାବେଳେ ଅନ୍ୟଜଣେ ଅଭିଭାବକ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ଆଜି ଦୋପଟ୍ଟା ଗାଁରୁ ଶୁଳିଆପଦା ଅଭିମୁଖେ ଏକ ଅଟୋରେ ୧୨ଜଣ ଯାଉଥିଲେ । ଅଟୋଟି ବାଙ୍ଗିରିପୋଷି ଘାଟି ଅତିକ୍ରମ କରୁଥିବାବେଳେ ପଛପଟୁ ଆସୁଥିବା ଏକ ଟ୍ରକ ଏହି ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।
ଘଟଣାସ୍ଥଳରେ ଜଣେ ଛାତ୍ର ଓ ଜଣେ ଅଭିଭାବବକଙ୍କୁ ମିଶାଇ ୨ଜଣ ମୃତୁ୍ୟବରଣ କରିଥିବାବେଳେ ଆଉ କେତେକ ଯାତ୍ରୀଆହତ ହୋଇଛନ୍ତି । ଉକ୍ତ ଘଟଣା ସମ୍ପର୍କରେ ଖବରପାଇ ବାଙ୍ଗିରିପୋଷି ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନା ଓ ପରେପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଓ ହେଲ୍ପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଏନେଇ ବାଙ୍ଗିରିପୋଷି ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି ।
