ବାରିପଦା  : ଉଭୟ କେନ୍ଦ୍ର ଓ ରାଜ୍ୟସରକାର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ସାଧାରଣଜନତାଙ୍କ ଗମନାଗମନ ପାଇଁ ଉନ୍ନତଧରଣର ରାସ୍ତା ଓ ବିଭିନ୍ନ ନଦୀନାଳରେ ଉନ୍ନତଧରଣର ପୋଲନିର୍ମାଣ କରିବାପାଇଁ କୋଟିକୋଟି ଟଙ୍କାବ୍ୟୟ କରୁଥିବାବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ମୋରଡା ଓ ବଡସାହି ନିର୍ବାଚନମଣ୍ଡଳୀକୁ ସଂଯୋଗ କରୁଥିବା ରାଜ୍ଘାଟ ପୋଲ । ଦୀର୍ଘଦିନ ଧରି ମୋରଡା ବ୍ଲକର ଦାନ୍ତିଆମୁହାଁ ପଞ୍ଚାୟତ ଓ ବେତନଟୀ ବ୍ଲକର ଦହିକୁଟି ପଞ୍ଚାୟତକୁ ସଂଯୋଗକରୁଥିବା ମାଛୁଆନଦୀ ଉପରେ ଥିବା ରାଜ୍ଘାଟ ପୋଲ ଏବେ ବିପଦଶଙ୍କୁଳ ଅବସ୍ଥାରେ ରହିଅଛି ।

ଏହି ପୋଲଟି ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାରେ ଥିବାବେଳେ ତଥା ଗ୍ରାମବାସୀମାନେ ନିଜସ୍ୱ ଉଦ୍ୟମରେ ପୋଲ ତଳେ ବାଲିବସ୍ତା ଦେଇ ପୋଲଟିକୁ ପେଚିଂ କରି ରଖିଛନ୍ତି । ପ୍ରତିଦିନ ଏହି ପୋଲ ଉପରେ ନିର୍ଭର କରି ଶହଶହ ସାଧାରଣଲୋକେ ଏହି ପୋଲଦେଇ ଯାତାୟତ କରୁଥିବା ତଥା ବଡବଡ ଯାନବାହାନ ମଧ୍ୟ ଏହି ପୋଲଦେଇ ଚଳାଚଳ କରୁଅଛି । ପୋଲଟି ଅତିଦୁର୍ବଳ ଅବସ୍ଥାରେ ଥିବାବେଳେ କେତେବେଳେବି ଏକ ବଡଦୁର୍ଘଟଣା ଘଟିପାରେ ବୋଲି ଆଶଙ୍କା କରାଯାଉଛି । ଏହି ପୋଲ ଉପରେ ଉଭୟ ବେତନଟୀ ଓ ମୋରଡା ବ୍ଲକର ଶହେରୁ ଉଦ୍ଧ୍ୱର୍ ଗ୍ରାମର ଲୋକମାନେ ନିର୍ଭର କରୁଛନ୍ତି ।

ଏନେଇ ସେମାନେ ବିଭିନ୍ନ ସମୟରେ ପୋଲନିର୍ମାଣ ପାଇଁ ଏ ବିଭାଗରୁ ସେ ବିଭାଗର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନର ନଜର ଏଥିପ୍ରତି ପଡିନାହିଁ । ସବୁଠାରୁ ବଡ ପ୍ରଶ୍ନ ପାଲଟିଛି ଏହି ପୋଲକୁ କେଉଁ ବିଭାଗ ନିର୍ମାଣ କରିବ । ଗ୍ରାମ୍ୟଉନ୍ନୟନ ବିଭାଗ ନିର୍ମାଣ କରିବ ନା’ବେତନଟୀ ବ୍ଲକ ଅଥବା ମୋରଡା ବ୍ଲକ ଏହି ପୋଲନିର୍ମାଣ କରିବ ସେ ନେଇ ବିଭିନ୍ନ ବିଭାଗ ପରଷ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ଏନେଇ ମୋରଡା ବିଧାୟକ ରାଜ୍କିଶୋର ଦାସଙ୍କୁ ଯୋଗାଯୋଗ କରାଯିବାରୁ ସେ ତାଙ୍କ ନିର୍ବାଚନମଣ୍ଡଳୀର ବିଭିନ୍ନ ପୋଲନିର୍ମାଣ ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ଏ ପୋଲ କିପରି ତୁରନ୍ତ ନିର୍ମାଣ ହେବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି । ସେହିପରି ବଡସାହି ବିଧାୟକ ସନାତନ ବିଜୁଳି ଏହି ପୋଲନିର୍ମାଣ ପାଇଁ ସେ ଆରଡି ବିଭାଗର ଏସଡିଓଙ୍କୁ ଅବଗତ କରାଇଛନ୍ତି ଓ ବିଧାନସଭାରେ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି ତଥା କିପରି ଉକ୍ତ ପୋଲଟି ତୁରନ୍ତ ନିର୍ମାଣ ହେବ ସେଥିପାଇଁ ସେ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି ।

ଏନେଇ ବାରିପଦା ଗ୍ରାମ୍ୟଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ ଏନ ଭି ହରିହର ରାଓଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ଏହି ପୋଲନିର୍ମାଣ ପାଇଁ ଯଥାସାଧ୍ୟ ଉଦ୍ୟମ କରିବା ସହ ପୋଲଟି ତାଙ୍କ ବିଭାଗ ଅଧିନରେ ନଥିବାରୁ ଏହା ସରକାରୀ ନିୟମ ଅନୁଯାୟୀ ତାଙ୍କ ବିଭାଗ ଅଧିନରେ କିପରି ପୋଲନିର୍ମାଣ ହୋଇପାରିବ ସେଥିପ୍ରତି ଯଥାସାଧ୍ୟ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି । ସେହିପରି ମୋରଡା ଓ ବେତନଟୀ ବିଡିଓ ତାଙ୍କ ପ୍ରତିକ୍ରିୟାରେ ଉକ୍ତ ପୋଲର ତଦାରଖ କରିବାପାଇଁ ସେମାନେ ବିଭାଗୀୟ ଯନ୍ତ୍ରୀଙ୍କୁ ଉକ୍ତ ଅଞ୍ଚଳକୁ ପରିଦର୍ଶନ କରିବାପାଇଁ ନିଦେ୍ର୍ଦଶ ଦେବାସହ ସରକାରୀ ନିୟମ ଅନୁଯାୟୀ ପୋଲ କିପରି ତୁରନ୍ତ ନିର୍ମାଣ ହେବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ସଫେଇ ଦେଇଥିଲେ । ଅପରପକ୍ଷରେ ତୁରନ୍ତ ପୋଲନିର୍ମାଣ ପାଇଁ କୌଣସି କାର୍ଯ୍ୟକ୍ରମ ହାତକୁ ନିଆନଗଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here