ବାରିପଦା : ସଦାବେଳେ ଟଙ୍କା ଧାର ମାଗିବା ତଥା ଧାର ଟଙ୍କା ନ ଫେରାଇବାରୁ ଦୁଇସାଙ୍ଗ ମିଶି ଆଉଜଣେ ସାଙ୍ଗଙ୍କୁ ତଣ୍ଟିଚିପି ନିର୍ମମ ଭାବେ ହତ୍ୟା କରିଦେଲେ, ଏହିପରି ଏକ ଅଭାବନୀୟ ଘଟଣା ବାରିପଦା ସହରରେ ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ, ବାରିପଦା ସହର ସୁନ୍ଗଡିଆ ଅଞ୍ଚଳର ବିକ୍ରମ ଦାସ(୩୭) ବିଭିନ୍ନ ସମୟରେ ତାଙ୍କ ସାଙ୍ଗ ଜିତେନ୍ଦ୍ର ପଣ୍ଡା(୩୪)ଙ୍କୁ ସଦାବେଳେ ଟଙ୍କା ଧାର ମାଗିଥାନ୍ତି ।
ମାତ୍ର ଧାରଟଙ୍କା ଆଉ ଫେରାନ୍ତି ନାହିଁ । ଫଳରେ ବିକ୍ରମ ଓ ଜିତେନ୍ଦ୍ରଙ୍କ ମଧ୍ୟରେ ବିଭିନ୍ନ ସମୟରେ ବଚସା ହୋଇଥାଏ । ବାରିପଦା ସହର କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ଶୁକ୍ରୁବାର ଅପରାହ୍ନରେ ଧାରଟଙ୍କାକୁ ନେଇ ଜିତେନ୍ଦ୍ର ଓ ବିକ୍ରମଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା ।
ପରେପରେ ଜିତେନ୍ଦ୍ର ତାଙ୍କ ସାଙ୍ଗ ୱାର୍ଡନମ୍ବର ୭ ଅଞ୍ଚଳର ଚନ୍ଦନ କୁମାର ଦାସ(୩୫)ଙ୍କ ସହ ମିଶି ବିକ୍ରମର ତଣ୍ଟିଚିପି ହତ୍ୟାକରି ସେଠାରେ ବିକ୍ରମର ମୃତଦେହକୁ ଫିଙ୍ଗି ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚି ଶବକୁ ଜବତକରି ଶବବ୍ୟବଚ୍ଛେଦ କରିବାସହ ଘଟଣାର ତଦନ୍ତ କରିଥିଲେ । ଏନେଇ ବାରିପଦା ଟାଉନଥାନାରେ ୩୦୨ ଦଫାରେ ୬୧୯/୨୦ ମାମଲା ରୁଜୁ ହୋଇ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାପରେ ଅଭିଯୁକ୍ତମାନେ ପୋଲିସ ଆଗରେ ହତ୍ୟାଘଟଣା ସମ୍ବନ୍ଧରେ ଶିକାର କରିବାପରେ ରବିବାର ଦୁଇଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି ।