ବାରିପଦା : ରବିବାର ଥିଲା ସର୍ବଭାରତୀୟ ମେଡିକାଲ ପରୀକ୍ଷା, ହେଲେ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନପାରିବା ଚିନ୍ତାରେ ଆତ୍ମହତ୍ୟା କରିଛନ୍ତି ମେଡିକାଲ କୋଚିଙ୍ଗ ନେଉଥିବା ବାରିପଦାର ଜଣେଛାତ୍ରୀ । ମୃତଛାତ୍ରୀଜଣଙ୍କ ହେଲେ ବାରିପଦା ସହରର ବୁଢୀଖମାରୀ ସାହିର ଉପାସନା ସାହୁ(୧୯) । ଉପାସନା ରାଜସ୍ଥାନ କୋଟା ସହରରେ ରହି ମେଡିକାଲ କୋଚିଙ୍ଗ ନେଉଥିଲେ, ହେଲେ ସଟ୍ଡାଉନ୍ ଯୋଗୁଁ ଘରକୁ ପଳାଇ ଆସିଥିଲେ । ଉପାସନାଙ୍କ ଜଣେ ସାଙ୍ଗ ଚେନ୍ନାଇ ମଦୁରାଇରେ ରହୁଥିବାବେଳେ ସେ ଗତକାଲି ସକାଳେ ଅତ୍ୟଧିକ ଚାପଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କରିଥିଲେ ।
ଏହି ଖବର ପାଇ ସନ୍ଧ୍ୟାରେ ଉପାସନା ମଧ୍ୟ ଏହିପରି ଚରମ ପଦକ୍ଷେପ ଉଠାଇଥିବା ପରିବାର ପକ୍ଷରୁ କୁହାଯାଇଛି । ଉପାସନା ସ୍କୁଲ ଓ କଲେଜ କ୍ୟାରିଅର ୯୫ ପ୍ରତିଶତ ଉପରକୁ ମାର୍କ ରହିଥିବାବେଳେ ସେ ଜଣେ କୃତୀଛାତ୍ରୀ ଭାବେ ବେସ ଜଣାଶୁଣା ଥିଲେ । ସେ ଗତ୨ବର୍ଷ ଧରି ମେଡିକାଲ କୋଚିଙ୍ଗ ନେଉଥିବାବେଳେ ଆଜି ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ବାଲେଶ୍ୱର ଜିଲ୍ଲା ନିଳଗିରି ଯାଇଥାନ୍ତେ ।
ହେଲେ ଗତକାଲି ସନ୍ଧ୍ୟାରେ ଘରେ ଏକୁଟିଆ ଥିବା ସୁଯୋଗ ନେଇ ଆତ୍ମହତ୍ୟା କରିଥିଲେ । ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେବାବେଳେ ତାଙ୍କର ମୃତୁ୍ୟ ଘୋଷଣା କରାଯାଇଥିଲା । ଉପାସନା ମୃତୁ୍ୟପୂର୍ବରୁ ଏକ ସୁଇସାଇଡ୍ ନୋଟ ଲେଖି ଯାଇଛନ୍ତି । ଯେଉଁଥିରେ କି ସେ ଚାପଗ୍ରସ୍ତ ଥିବା ସହ ମେଡିକାଲ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିବେନାହିଁ ଏବଂ ବାପାମାଆଙ୍କ ଖର୍ଚ୍ଚ କରିଥିବା ଏତେ ଟଙ୍କା ପାଇଁ ପଶ୍ଚାତାପ କରିବା ସହ ସେ ଭାଙ୍ଗି ପଡିଥିବାର ଉଲ୍ଲେଖ କରିଛନ୍ତି । ପରିବାରବର୍ଗଙ୍କ କହିବା ମୁତାବକ ଠିକ୍ ଏହିଭଳି ଚିଠି ଲେଖି ମଦୁରାଇରେ ଥିବା ଉପାସନାଙ୍କ ସାଙ୍ଗ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ତାଙ୍କର ଆତ୍ମହତ୍ୟା ଗତକାଲି ସକାଳ ୯ଟା ବେଳେ ହୋଇଥିବାର ଖବର ଉପାସନାଙ୍କ ପାଖରେ ପହଞ୍ଚିଥିଲା । ଠିକ୍ ସନ୍ଧ୍ୟାବେଳେ ଉପାସନା ମଧ୍ୟ ସମାନ ଢଙ୍ଗରେ ଆତ୍ମହତ୍ୟା କରିଛନ୍ତି । ଏନେଇ ବାରିପଦା ଟାଉନଥାନାରେ ୧୨୬/୨୦ରେ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।