ବାରିପଦା : ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଶିମିଳିପାଳରେ ଅବାଧରେ ବନ୍ୟଜନ୍ତୁଙ୍କ ଶିକାର ହେଉଥିବା ଘଟଣାମାନ ଦେଖିବାକୁ ମିଳୁଛି । ଗୁରୁବାର ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ଅତର୍କୀତ ଚଢଉ କରାଯାଇ ଏକ କଲରାପତରିଆ ବାଘଚମଡା ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଏକ ବାଘଚମଡା ବିକ୍ରି ହେବ ବୋଲି ରାଇରଙ୍ଗପୁର ବନବିଭାଗକୁ ଏକ ବିଶେଷସୁତ୍ରରୁ ଖବର ମିଳିଥିଲା । ଏନେଇ ୬ମାସ ଧରି ବନବିଭାଗ ପକ୍ଷରୁ ଏହି ର୍ୟାକେଟ୍କୁ ଧରିବା ପାଇଁ ତନାଘନା ଚାଲିଥିଲା ।

ମୟୂରଭଞ୍ଜ ଜିଲ୍ଲା ମଣଦା ରେଞ୍ଜ ଖେଜୁରୀକଟାସ ଗ୍ରାମ ନିକଟରେ ଗୋଟିଏ କଲରାପତରିଆ ବାଘଚମଡା ବିକ୍ରି ପାଇଁ ମସୁଧା ଚଲାଇଥିବାବେଳେ ବନବିଭାଗ ପକ୍ଷରୁ ଅତର୍କୀତ ଚଢଉ କରାଯାଇ ବିଶୋଇ ଥାନା ବଡବାଲିଚୁଆ ଗ୍ରାମର ଲକ୍ଷ୍ମଣ ନାଏକ(୨୭)ଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟମାନେ ସେଠାରୁ ଖସି ପଳାଇଥିଲେ । ଜବତ ବାଘଚମଡା ୧୫୩ ସେମି ଲମ୍ବା ଓ ୩୧ ସେମି ଓସାର ହୋଇଥିବାବେଳେ ଦୁଇତିନିମାସ ତଳେ ଏହି ବାଘଟିକୁ ଶିକାର କରାଯାଇଥିବା ଜଣାଯାଇଛି । ଏହି ଚଢଉ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡଃ ଅରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏସିଏଫ ବୈଦ୍ୟନାଥ ମାଝୀ ଓ ନବୀନ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସହ ବନବିଭାଗ କର୍ମଚାରୀମାନେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here