ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ବାଉଁଶବିଲା ପଞ୍ଚାୟତ ୱାର୍ଡନମ୍ବର ୧୧ ଗ୍ରାମରାସ୍ତା ଅତିଶୋଚନୀୟ ହୋଇପଡିଥିବାରୁ ମୟୂରଭଞ୍ଜ ମୁକ୍ତିମୋର୍ଚ୍ଚା ସଂଗଠନ ପକ୍ଷରୁ ଏହାକୁ ତୁରନ୍ତ ନିର୍ମାଣ କରିବାପାଇଁ ଦାବି କରାଯାଇଛି । ବର୍ଷା ହେଲେ ଏହି ରାସ୍ତାରେ ଥିବାଖାଲରେ ପାଣି ଭର୍ତ୍ତି ହୋଇଯାଉଥିବାବେଳେ କାଦୁଅ ପଚପଚ ରାସ୍ତାରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହି ରାସ୍ତାଟିକୁ କଂକି୍ରଟ୍କରଣ କରିବା ପାଇଁ ବାରମ୍ବାର ଦାବି କରିବା ସ୍ୱତ୍ତେ ମଧ୍ୟ ପ୍ରଶାସନ କୌଣସି କର୍ଣ୍ଣପାତ କରୁନାହାଁନ୍ତି ଫଳରେ ଏହି ରାସ୍ତାଦେଇ ସାଧାରଣ ଗାଡି କିମ୍ବା ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ । ଉକ୍ତ ମାଟିରାସ୍ତାଟି ତୁରନ୍ତ କଂକ୍ରିଟ୍ ରାସ୍ତାରେ ପରିଣତ କରିବାକୁ ମୟୂରଭଞ୍ଜ ମୁକ୍ତିମୋର୍ଚ୍ଚା ସଂଗଠନ ପକ୍ଷରୁ ଦାବି କରାଯାଇଅଛି ।
ରାସ୍ତାନିର୍ମାଣ ନହେବା ପ୍ରତିବାଦରେ ସଂଗଠନ ଜିଲ୍ଲା ଉପସଭାପତି ଚନ୍ଦନ ସିଂଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଉକ୍ତ କାଦୁଅ ପଚପଚ ରାସ୍ତାରେ ଧାନତୋଳି ରୋଇ ରାସ୍ତାନିର୍ମାଣ ନିମନ୍ତେ ପ୍ରଶାସନର ଦୃଷ୍ଟିଆକର୍ଷଣ କରିଛନ୍ତି । ଏହି ପ୍ରତିବାଦରେ ଜିଲ୍ଲା ଉପସଭାପତି ଚନ୍ଦନ ସିଂଙ୍କ ସମେତ ଝାଡେଶ୍ୱର ସିଂ, ସୁରେନ୍ଦ୍ର ସିଂ, ଲାଲମୋହନ ସିଂ, କମଲ ସିଂ, ମୋହନ ସିଂ, ମକ୍ରା ସିଂ, ହେମନ୍ତ ସିଂ ଓ ଆଦିତ୍ୟ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।