ବାରିପଦା : ମୟୂରଭଞ୍ଜ ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଏମକେସି ହାଇସ୍କୁଲ ପରିସରରେ ମହାରାଜା କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ଗଠିତ ହୋଇଛି । ଅତୀତରେ ଏହି ବିଦ୍ୟାଳୟରେ ଅଧ୍ୟୟନ କରିଥିବା ବହୁଛାତ୍ର ତଥା ଶିକ୍ଷାଦାନ କରିଥିବା ବହୁଶିକ୍ଷକ ଓଡିଆ ବାଣୀଭଣ୍ଡାରକୁ ସେମାନଙ୍କ ସୃଷ୍ଟିରେ ସାର୍ଥକ କରିଛନ୍ତି । ଏଣୁ ଏଭଳି ମହନୀୟ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆଭାଷା ସାହିତ୍ୟର ଗୁଣାତ୍ମକ ବିକାଶପାଇଁ ମହାରାଜା କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ଗଠିତ ହୋଇଛି ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ଡଃ ପ୍ରଜ୍ଞା ପାରମିତା ଜେନା ମତପ୍ରକାଶ କରିଛନ୍ତି ।
ଆଗାମୀଦିନରେ ଭର୍ଚୁଆଲ କାର୍ଯ୍ୟକ୍ରମ ତଥା ସାହିତ୍ୟ ସମାବେଶ କରାଯାଇ ବହୁ ଓଡିଆ କବି, ପ୍ରାବନ୍ଧିକ ତଥା ସୁଲେଖକମାନଙ୍କର ସୃଷ୍ଟି ସମୂହ ଆଲୋଚନା କରାଯିବା ସହ କବିତା, ଗଳ୍ପପାଠ ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବବୋଲି ଡଃ ଜେନା ସୂଚନା ଦେଇଛନ୍ତି । ପ୍ରଧାନଶିକ୍ଷକ ଡଃ ପ୍ରଜ୍ଞାପାରମିତା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନ କାର୍ଯ୍ୟକ୍ରମରେ ଶିକ୍ଷକ ଅମିତାଭ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଶିକ୍ଷକ ଅତୁଲ କୁମାର ପରିଡା, ଅମୂଲ୍ୟ କୁମ୍ଭକାର, ଡଃ ଶଶୀଧର ବିଶ୍ୱାଳ, ବାସନ୍ତୀ ହାଁସଦାଃ, ଅଲିଭା ପୋଥାଳ ଓ ତନ୍ମୟ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
