ବାରିପଦା : ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ପକ୍ଷରୁ କବି ଅମିତାଭ ମିଶ୍ରଙ୍କ ଲିଖିତ କବିତା ପୁସ୍ତକ “କବିତା କଳ୍ପଳତା” ଓ “କବିତା କସ୍ତୁରୀ” ଦୁଇଟି ପୁସ୍ତକ ପ୍ରକାଶିତ ହୋଇଛି । । “କବିତା କଳ୍ପଳତା” ପୁସ୍ତକରେ ଚବିଶ୍ଟି କବିତା ସ୍ଥାନିତ ହୋଇଥିବାବେଳେ “କବିତା କସ୍ତୁରୀ”ରେ ଚଉରାଳିଶ୍ଟି କବିତା ସ୍ଥାନ ପାଇଛି ।
ଏଥିପୂର୍ବରୁ କବି ଅମିତାଭ ମିଶ୍ରଙ୍କ ଲିଖିତ ସ୍ମୃତି ମଞ୍ଜୁଳା, ସୃଷ୍ଟି ସମଗ୍ର, ରୂପାନ୍ତର, ମଣିମାଣିକ୍ୟ, ଶିଶୁ: ମୋ ଦେଶର ଶିଶୁ, କବିତା କବରୀ, ମହମହ ମାଟିର ମହକ, ପ୍ରେମ, କବିତା କଳାପ, ଟିକିଟିକି ତାରାଫୁଲ ଓ କବିତା କହ୍ଲାର ପ୍ରମୁଖ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ସ୍ୱୀକୃତି ଲାଭ କରିଛି ।
କବିମିଶ୍ର ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ ଥିବାବେଳେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ । ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ପୁସ୍ତକ ଦୁଇଟିର ପ୍ରକାଶନ ଦାୟିତ୍ୱ ବହନ କରିଥିବାରୁ ସେ ଏକାଡେମୀର ସଭାପତି ଡଃ ସରୋଜ କୁମାର ନାୟକ ଓ ଅନ୍ୟ କର୍ମକର୍ତ୍ତାଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରିଛନ୍ତି । ପିତା କବି ଡଃ ନୀଳକଣ୍ଠ ମିଶ୍ର ଓ ମାତା କବୟିତ୍ରୀ ଶାନ୍ତିଲତା ଆଚାର୍ଯ୍ୟଙ୍କ ପ୍ରେରଣାରେ ସେ ଏହି ସାରସ୍ୱତ କାର୍ଯ୍ୟ ସମ୍ପାଦିତ କରିପାରିଛନ୍ତି ।
