Odisha news

ବାରିପଦାରେ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପାଳିତ

0

ବାରିପଦା  : ଜିଲ୍ଲାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ମୟୂରଭଞ୍ଜ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ବାରିପଦା ମହର୍ଷି ପବ୍ଲିକ ସ୍କୁଲର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ପଦ୍ମନାଭ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଗଡିଆ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ଦୀପ ଚାନ୍ଦ ମୁଖ୍ୟଅତିଥି ଭାବରେ ଯୋଗଦେଇ ଭୀମଭୋଇଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ କବି ତଥା ଶିକ୍ଷାବିତ ଯତିନ କୁମାର ଦାସ ଯୋଗଦେଇ ସାଂପ୍ରତିକ ସମୟରେ ସନ୍ଥକବିଙ୍କ ଦର୍ଶନର ମୂଲ୍ୟବୋଧର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ କବି ଗୋପାଳ ଚନ୍ଦ୍ର ସାଓ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କଲା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସଂପାଦକ ମନୋଜ ଦଳବେହେରା ଆଲୋକପାତ କରିଥିବାବେଳେ ବିଶିଷ୍ଟ ଶିକ୍ଷାବିତ୍ ବିଶ୍ୱେଶ୍ୱର ଦ୍ୱିବେଦୀ, ସାହିତ୍ୟକ ଅଜିତ କୁମାର କବାଟ ତଥା ଯୁବ ସାହିତ୍ୟକ ସ୍ନେହାଶିଷ ମହାକୁଡ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପରିଷଦର ବାର୍ଷିକ ସାରସ୍ୱତ ପଞ୍ଜିକା ଲୋକାର୍ପିତ ହୋଇଥିଲା । ପରିଶେଷରେ କବି ସତୀଶ ଚନ୍ଦ୍ର ବେହେରା ଏବଂ କବୟିତ୍ରୀ ସୁଶ୍ରୀ କାବେରୀ ମିଶ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଆଧ୍ୟାତ୍ମିକ କବିତା ପାଠୋତ୍ସବରେ ଜୟନ୍ତ ଦ୍ୱାରୀ, ହିମାଂଶୁ ଶେଖର ଦାସ, କୈବଲ୍ୟ ମହାପାତ୍ର, ଭାସ୍ୱତୀ ପଣ୍ଡା, ଶରତ ଚନ୍ଦ୍ର ନାୟକ, ପିତାମ୍ବର ମଲ୍ଲିକ ଓ ଅଜୟ କୁମାର ପାଳ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ବରିଷ୍ଠ ସଦସ୍ୟା ବୀଣାପାଣି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Ad2
Leave A Reply