ବାରିପଦା : ମୟୂରଭଞ୍ଜର ସର୍ବାଙ୍ଗୀନ ବିକାଶ ହିଁ ଜିଲ୍ଲା ବିଜେପି ପାଇଁ ପ୍ରଥମ ଓ ଶେଷ କଥା ହେବ ଏବଂ ନିର୍ବାଚନରେ ବିଜୟୀ ହେବା ପରେ ଏ ଦିଗରେ ନିଷ୍ଠାପର ଉଦ୍ୟମ ଆରମ୍ଭ ହେବ ବୋଲି ଏଠାରେ ଘୋଷଣା କରାଯାଇଛି । ଅମ୍ବିକା ହୋଟେଲ ସଭାଗୃହରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାବାସୀଙ୍କୁ ଏହି ଆଶ୍ୱାସନା ଦେଇଛନ୍ତି ମୟୂରଭଞ୍ଜ ଲୋକସଭା ଆସନର ବିଜେପି ପ୍ରାର୍ଥୀ ନବ ଚରଣ ମାଝୀ । ବିଜେପି ରାଜ୍ୟ ମୁଖପାତ୍ର କବିବିଷ୍ଣୁ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ତମ-ଉପସ୍ଥିତି-ଯୁକ୍ତ ଏହି ସାମ୍ବାଦିକ ସମାବେଶରେ ଶ୍ରୀ ମାଝୀ ଉଦ୍ବୋଧନ ଦେଇ ରେଳ, ସଡ଼କ, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସବୁ କ୍ଷେତ୍ରରେ ଏ ଭଞ୍ଜମାଟିକୁ ଆଗେଇ ନିଆଯିବ ବୋଲି କହିଥିଲେ । କେନ୍ଦ୍ରରେ ପୁଣିଥରେ ମୋଦୀ ସରକାର ଗଠିତ ହେବାର ପ୍ରଥମ ଶହେ ଦିନ ମଧ୍ୟରେ ହିଁ ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଢ଼ାମରା-ଚାକୁଳିଆ ଓ କେନ୍ଦୁଝର-ବାଦାମପାହାଡ଼ ନୂତନ ରେଳପଥ ନିର୍ମାଣ ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯିବ ବୋଲି ସେ ଘୋଷଣା କରିଥିଲେ । ଏହି ଅବସରରେ ବାରିପଦାରେ ଥିବା ଆୟୁର୍ବେଦିକ କଲେଜ ଓ ହୋମିଓପ୍ୟାଥିକ କଲେଜକୁ ପୁଣିଥରେ କାର୍ଯ୍ୟକ୍ଷମ କରାଯିବ ବୋଲି ବିଜେପି ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା । ସମାବେଶରେ ଦଳର ବାରିପଦା ବିଧାନସଭା ପ୍ରାର୍ଥୀ ପ୍ରକାଶ ସୋରେନ, ମୋରଡା ବିଧାନସଭା ପ୍ରାର୍ଥୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଓ ସାରସକଣା ବିଧାନସଭା ପ୍ରାର୍ଥୀ ଭାଦବ ହାଁସଦା ତଥା ମୟୂରଭଞ୍ଜ (ପୂର୍ବ) ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି ପ୍ରମୁଖ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରି ଦଳୀୟ ଆଭିମୁଖ୍ୟର ଅବତାରଣା କରିଥିଲେ । ପରିଶେଷରେ ଶ୍ରୀ ଶତପଥୀ ରାଜ୍ୟ ତଥା ଜିଲ୍ଲାର ଦ୍ରୁତ-ପରିବର୍ତ୍ତନଶୀଳ ରାଜନୀତିକ ଦୃଶ୍ୟପଟର ବାସ୍ତବ ଚିତ୍ର ଉପସ୍ଥାପନ କରିବାକୁ ସମବେତ ସମସ୍ତ ସାମ୍ବାଦିକଙ୍କୁ ନିବେଦନ କରିଥିଲେ ।
