ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଓ ଜେଏମଏମ ହେବିୱେଟ ନେତ୍ରୀ କଳ୍ପନା ସୋରେନଙ୍କ ଉପସ୍ଥିତିରେ ରାଇରଙ୍ଗପୁରରେ ଜେଏମଏମର ପ୍ରାର୍ଥୀ ପତ୍ର ଦାଖଲ ଓ ଶକ୍ତି ପ୍ରଦର୍ଶନ
ବାରିପଦା : ଆଗାମୀ ସାଧାରଣ ନିର୍ବାଚନକୁ ନେଇ ମୟୂରଭଞ୍ଜ ରାଜନୈତିକ ପାଣିପାଗ ଉଷ୍ମ ହୋଇଉଠିଛି । ଗୁରୁବାର ପ୍ରାର୍ଥୀ ପତ୍ର ଦାଖଲର ତୃତୀୟ ଦିନରେ ଜେଏମଏମ ପକ୍ଷରୁ ରାଇରଙ୍ଗପୁର ଠାରେ ବିଶାଳ ଶୋଭାଯାତ୍ରା, ସାଧାରଣ ସଭା ମାଧ୍ୟମରେ ଜେଏମଏମର ସୁପ୍ରିମୋ ଶିବୁ ସୋରେନ୍ଙ୍କ ଝିଅ ଅଞ୍ଜନୀ ସୋରେନ୍ଙ୍କ ସହ ଅନ୍ୟ ଜେଏମଏମ ପ୍ରାର୍ଥୀ ମାନେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏନେଇ ରାଇରଙ୍ଗପୁରରେ ଉଭୟ ବିଜେପି ଓ ବିଜେଡିକୁ ଟକ୍କର ଦେବା ପାଇଁ ଜେଏମଏମ ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି । ଆଜି ସାରସକଣା ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜେଏମଏମ ବିଧାୟକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସାରସକଣା ବିଧାୟକ ପ୍ରାର୍ଥୀ ତଥା ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନ ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୁନାରାମ ଟୁଡୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ପ୍ରାର୍ଥୀ ମାନଙ୍କ ସହିତ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ । ସେଠାରେ ପ୍ରାର୍ଥୀ ମାନେ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସେପଟେ ନାମାଙ୍କନ ଦାଖଲ ଅବସରରେ ରାଇରଙ୍ଗପୁର ମହୁଲଡିହା ଠାରେ ଜେଏମଏମ ଦଳ ତରଫରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଝାଡ଼ଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଧର୍ମପନôୀ କଳ୍ପନା ସୋରେନ ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ତେବେ ୧୦ବର୍ଷର ବିଜେପି ସରକାର ଓ ୨୫ବର୍ଷର ବିଜେଡ଼ି ସରକାର ଉପରେ ବର୍ଷିବା ସହିତ ମହୁଲଡିହା ପଡିଆରେ ଚାଲିଥିବା ସାଧାରଣ ସଭାରେ ଝାଡଖଣ୍ଡ ରାଜ୍ୟରୁ ଆସିଥିବା ଇଣ୍ଡିଆ ମେଣ୍ଟର ହେଭିୱେଟ ନେତାମାନେ ମୟୂରଭଞ୍ଜ ଜିଲ୍ଲାର ପ୍ରାର୍ଥୀ ମାନଙ୍କୁ ଆଶୀର୍ବାଦ କରିବାକୁ ନେଇ ନିବେଦନ କରିଥିଲେ ।
