Odisha news

ସୁବର୍ଣ୍ଣରେଖା କେନାଲ ଭୁଷୁଡିଲା, ହଜାରହଜାର ହେକ୍ଟର ଜମି ଜଳାବର୍ଣ୍ଣ ସହ ଫସଲ ଉଜୁଡିଲା , ଚାଷୀ ସର୍ବଶାନ୍ତ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ କୁଆବଡା ଗ୍ରାମପଞ୍ଚାୟତର ଗାଡୁଭଙ୍ଗା ଗ୍ରାମ ନିକଟରେ ବୋହି ଯାଇଥିବା ସୁବର୍ଣ୍ଣରେଖା କେନାଲ ଭୁଷୁଡି ପଡିବାରୁ କେନାଲ ନିକଟରେ ଥିବା ୮ଟି ଗ୍ରାମର ହଜାରହଜାର ହେକ୍ଟର ଫସଲ ଜମି ଜଳମଗ୍ନ ହେବାସହ ଚାଷଜମି ଉଜୁଡିପଡିଛି । ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ଗ୍ରାମଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲର ଆଡିବନ୍ଧର ଗୋଟିଏ ପାଶ୍ୱର୍ରେ ଗତ କିଛିଦିନ ହେଲା ପାଣି ନିଗର୍ତ ହେଉଥିବାବେଳେ ଗ୍ରାମବାସୀ ଏନେଇ ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ପ୍ରକଳ୍ପର ଉଚ୍ଚପଦସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ଏହାର ମରାମତି ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ତଥା ବେପାରୁଆ ମନୋଭାବ ଯୋଗୁଁ ଗୁରୁବାର ସକାଳୁ ହଠାତ୍ କେନାଲଟି ଭୁଷୁଡି ପଡିଥିଲା ।

ଫଳରେ କେନାଲ ନିକଟରେ ଯାଇଥିବା ରାସ୍ତାଟି ମଧ୍ୟ ଭୁଷୁଡି ପଡିବାରୁ ରାସ୍ତାର ଉଭୟପାଶ୍ୱର୍ ବିଚ୍ଛିନ୍ନ ହୋଇଯାଇଥିଲା । ଫଳରେ ଗମନାଗମନ ଏକପ୍ରକାର ଠୋପ୍ ହୋଇଯାଇଥିଲା । ଏହି କେନାଲ ନିକଟରେ ଥିବା ଗାଡୁଭଙ୍ଗା, ମାଙ୍କଡକେନ୍ଦା, ଝିନେଇ, ମାରାଙ୍ଗତାଣ୍ଡି, କୁଆବୁଡା ଓ ଧଡିପଦା ଗ୍ରାମ ଆଦିରେ ପ୍ରଖରସ୍ରୋତରେ ଜଳପ୍ରବାହିତ ହୋଇ ଚାଷ ହୋଇଥିବା ହଜାରହଜାର ହେକ୍ଟର ଜମିରେ ଫସଲକୁ ଉଜାଡି ପକାଇଥିଲା । କରୋନା ମାଡ ସହ ଫସଲ ଉଜୁଡିଯିବାରୁ ଚାଷୀମାନେ ସର୍ବଶାନ୍ତ ହୋଇପଡିଛନ୍ତି । ଅପରପକ୍ଷରେ ତୁରନ୍ତ ଚାଷୀମାନଙ୍କୁ ଅମଳ କରୁଥିବା ଧାନ ଓ ଚାଷ କାର୍ଯ୍ୟରେ ଖର୍ଚ୍ଚ କରିଥିବା ଟଙ୍କାର ୫ଗୁଣ କ୍ଷତିପୂରଣ ଦେବାସହ ବର୍ତ୍ତମାନ ଚଳଣି ପାଇଁ ଆର୍ଥୀକ ସହାୟତା ପ୍ରଦାନ ଓ କେନାଲକୁ ତୁରନ୍ତ ନିର୍ମାଣ କରିବା ପାଇଁ ଜେଏମଏମ ଯୁବମୋର୍ଚ୍ଚା ନେତା ଅର୍ଜୁନ ମୁର୍ମୁ ଦାବି କରିଛନ୍ତି ।

ଖବରପାଇ ଘଟଣାସ୍ଥଳରେ ସୁବର୍ଣ୍ଣରେଖା ଜଳସେଚନ ମଣ୍ଡଳର ଅଧୀକ୍ଷଣଯନ୍ତ୍ରୀ ପ୍ରଭାକର ବେହେରା ଓ ସୁବର୍ଣ୍ଣରେଖା ବେତନଟୀ କେନାଲ ଡିଭିଜନ୍ର ନିର୍ବାହୀଯନ୍ତ୍ରୀ ରମାକାନ୍ତ ମହାପାତ୍ର ପ୍ରମୁଖ ପହଞ୍ଚିଥିବାବେଳେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଘେରିପକାଇଥିଲେ । ବାରମ୍ବାର ଜଣାଯିବା ସର୍ତ୍ତେ କେନାଲ ମରାମତି କରିବାରେ ହେଳା କରିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀମାନେ ହୋହୋଲା କରିଥିଲେ ଏବଂ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ଶେଷରେ ଅଧିକାରୀଦ୍ୱୟ ଚାଷଜମିର ତର୍ଜମା କରାଯାଇ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଅପରପକ୍ଷରେ ବହୁବର୍ଷ ତଳେ ଏହି କେନାଲ ନିର୍ମାଣ କାର୍ଯ୍ୟ ହୋଇଥିବାବେଳେ ବିଭାଗ ପକ୍ଷରୁ ଏହାର ମରାମତି ପ୍ରତି ଧ୍ୟାନ ଦିଆଯାଇନଥିବାରୁ ଏଭଳି ଅଘଟଣ ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହୋଇଥିଲା । ଅନ୍ୟପକ୍ଷରେ ବିଭାଗ କେନାଲ କିପରି ଭୁଷୁଡିଲା ଏଥିପାଇଁ ଦାୟୀ କିଏ ଏହାର ଟିକିନିିକି ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଥିଲା ।

Leave A Reply