Odisha news

ରାସ୍ତରେ ଛିଡି ପଡିଲା ୧୧ କେଭି ତାର, ଅଳ୍ପକେ ବର୍ତ୍ତିଲେ ଦୁଇ କର୍ମଚାରୀ

0
ବାରଙ୍ଗ : ରାସ୍ତରେ ଛିଡି ପଡିଲା ୧୧ କେଭି ବିଦ୍ୟୁତ୍ ତାର। ଅଳ୍ପକେ ବର୍ତ୍ତି ଯାଇଥିଲେ କାର୍ଯ୍ୟରତ ଦୁଇ ଜଣ ସିକ୍ୟୁରିଟି ଗାର୍ଡ। ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏଭଳି କିଛି ଘଟଣା ଘଟିଥିଲା ବାରଙ୍ଗ ବିଦ୍ୟୁତ୍ ସେକ୍ସନ ଅଧିନସ୍ଥ ସୀତାରାମ ବଜାରରେ । ଓଡିଶା ଇଣ୍ଡଷ୍ଟ୍ରି ମଧ୍ୟରେ ଥିବା ପାୱାର ହାଉସକୁ ସଂଯୋଗ କରୁଥିବା ୧୧ କେଭି ମୁଖ୍ୟ ତାର ଛିଡି ରାସ୍ତା ଉପରେ ପଡିଥିଲା। ଯାହାଫଳରେ ବାରଙ୍ଗ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ବିଦ୍ୟୁତ୍ ବିଛିନ୍ନ ହେବାରୁ ଅସହ୍ୟ ଗରମ ଓ ଗୁଳୁଗୁଳି ମଧ୍ୟରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଏନେଇ ଶତାଧିକ ଅଞ୍ଚଳବାସୀ ବାରଙ୍ଗ ବିଦ୍ୟୁତ୍ କାର୍ଯ୍ୟାଳୟ ଆଗରେ ପହଞ୍ଚି ରୁଣ୍ଡ ହୋଇଥିଲେ।ତେବେ ଦୀର୍ଘ ସମୟ ଧରି ବିଦ୍ୟୁତ୍ କଟିଥିଲେ ସୁଦ୍ଧା ବିଭାଗ ପକ୍ଷରୁ ଘଟଣାସ୍ଥଳରେ କୌଣସି କର୍ମଚାରୀ ପହଞ୍ଚିନଥିଲେ।
ବିଦ୍ୟୁତ୍ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟିବା ସହ ଅନେକ ସମୟ ଧରି ବାରଙ୍ଗ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହୁଛି।  ଅସହ୍ୟ ଗରମ ଓ ଗୁଳୁଗୁଳିରେ ଦିନ କାଟିବା ଅଞ୍ଚଳବାସୀଙ୍କ ନିତିଦିନିଆ ଘଟଣା ହୋଇଗଲାଣି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏନେଇ ବିଭାଗୀୟ ଅଧିକାରୀ ମଧ୍ୟ ମୁହଁ ଖୋଲିବାକୁ ନାରାଜ। ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Leave A Reply