ବାରଙ୍ଗ : ନଦୀ ପଠାରେ ଏୟାର ଶୋ ଦେଖିବେ ଲୋକେ । ନିଜର କଳା ପ୍ରଦର୍ଶନ କରିବ ବାୟୁସେନା । ରାଜଧାନୀ ଭୁବନେଶ୍ୱରରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ଏୟାର ଶୋ “ସୂର୍ଯ୍ୟକିରଣ” । ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆର କୁଆଖାଇ ନଦୀ ପଠାରେ ୧୬ ତାରିଖ ଦିନ ଏୟାର ଶୋ “ସୂର୍ଯ୍ୟକିରଣ” ଅନୁଷ୍ଠିତ ହେବ । ଶୁକ୍ରବାର ଦିନ ୧୦ ଟା ସମୟରେ ଆରମ୍ଭ ହେବାକୁ ଥିବା ଏୟାର ଶୋରେ ବହୁ ଭିଭିଆଇପି ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବାକୁ ଥିବାବେଳେ ୧୨ ଶହରୁ ଉର୍ଦ୍ଧ ଲୋକ ବସି ଦେଖିବା ପାଇଁ ବ୍ୟବସ୍ଥା ହୋଇଛି। ୨୦ରୁ ୨୫ ମିନିଟ ଧରି ଏହି ଶୋ ଚାଲିବ। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କୁଆଖାଇ ନଦୀ ପଠାର ଉଭୟ ପାର୍ଶ୍ଵରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ୨୦ ପ୍ଲାଟୁନ ଫୋର୍ସ ସହ ୧୦୦ରୁ ଅଧିକ ବରିଷ୍ଠ ଅଫିସର ନିୟୋଜିତ ରହିବେ ବୋଲି ଜଣାପଡିଛି।
ଏୟାର ଶୋ “ସୂର୍ଯ୍ୟକିରଣ” ବାୟୁସେନା ପକ୍ଷରୁ ୧୧ ଟି ଲଢ଼ୁଆ ବିମାନ କର୍ଣ୍ଣାଟକର ଭିଦାର୍ରୁ ଅଣାଯାଇଛି। ବୁଧବାର ଦିନ ଦୁଇଟି ହକ ବିମାନ ବାଲିଯାତ୍ରା ପଡିଆ ଉପରେ ବୁଲି ମ୍ୟାପିଂ ଓ ଚେକିଂ କରି ଫେରିଥିଲେ। ଗୁରୁବାର ବାୟୁସେନା ପକ୍ଷରୁ ଫୁଲ ଡ୍ରେସ ରିହାର୍ସାଲ ହୋଇଥିଲା। ଏହି ରିହାର୍ସାଲ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହି ସମୟରେ ବାୟୁସେନାର ୯ ଟି ହକ୍ବିମାନ ସାମିଲହୋଇ ବିଭିନ୍ନ ଚିତ୍ତାକର୍ଷକ କୌଶଳ ପ୍ରଦର୍ଶନ କରିଥିଲେ। ବିଶେଷକରି ଆରୋହେଡଫର୍ମେଶନ, ଡ଼ାଇମଣ୍ଡ ଫର୍ମେସନ୍, ସୂର୍ୟ୍ୟକିରଣ ଫର୍ମେସନ୍ ଆଦି କୌଶଳ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ତେବେ ଏହି ଶୋ କୁ ଗ୍ରୁପ୍ କ୍ୟାପଟେନ ଜି ଏସ୍ ଝେଲନ୍ ଲିଡ କରୁଥିବା ଜଣାପଡ଼ିଛି। ଏହି ଏୟାରଶୋରେ ବାୟୁସେନାର ଵୀର ଯବାନମାନେ ଭୂମିଠାରୁ ପାଖାପାଖି ୫ ଶହଫୁଟ ଉର୍ଦ୍ଧରେ ଏବଂ ଘଣ୍ଟାପ୍ରତି ପ୍ରାୟ ୧୬୦୦ କିମି ବେଗରେ ସେମାନଙ୍କ କୌଶଳ ପ୍ରଦର୍ଶନ କରିଥିଲେ। ପ୍ରଥମଥର ପାଇଁ ଭୁବନେଶ୍ଵରରେ ଏହି ସୋ ଅନୁଷ୍ଠିତ ହେଉଥିବାରୁ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
