ବଅଁରପାଳ/ଅନୁଗୁଳ: ବର୍ତମାନ ସମଗ୍ର ଦେଶରେ ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ଛୋଟବଡ ଶିଳ୍ପାନୁଷ୍ଠାନ ବନ୍ଦ ହୋଇ ଯିବାରୁ ବହୁ ଶ୍ରମିକ ରୋଜଗାର ହରାଇ ଖାଦ୍ୟ ଅଭାବରୁ ନିଜ ନିଜ ଗ୍ରାମକୁ ଫେରୁଥିବାର ଦେଖାଯାଉଛି । ଗତ ମଙ୍ଗଳବାର ବଅଁରପାଳ ପୁଲିସ ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସ୍ଥାନୀୟ କ୍ୱାରେଟାଂଇନ ଶିବିରରେ ଅବସ୍ଥାପିତ କରିଛନ୍ତି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ମଙ୍ଗଳବାର ରାତି ୧୦ଟାରେ ୬ ଜଣ ମହିଳା ଓ ୪ ଜଣ ପୁରୁଷ ଶ୍ରମିକ ବଅଁରପାଳ ଥାନା ସମ୍ମୁଖ ୫୫ ନଂ ଜାତୀୟ ରାଜପଥରେ ଚାଲି ଚାଲି ଯାଉଥିବା ବେଳେ ପୁଲିସ ହାବୁଡରେ ପଡିଥିଲେ । ପଚରା ଉଚରା ସମୟରେ ସେମାନେ ସମସ୍ତେ ଦେବଗଡ଼ ଅଚଂଳର ବୋଲି ଜଣାପଡିଥିଲା । ସମସ୍ତେ ଭୁବନେଶ୍ୱରର ଏକ ଇଟାଫ୍ୟାକ୍ଟ୍ରିରେ କାମ କରୁଥିଲେ । ଏକ୍ ଡାଉନ୍ ଯୋଗୁଁ କାମ ବନ୍ଦ ଥିବାରୁ ସେମାନେ ସମସ୍ତେ ଏକ ପାଉଁଶ ବୋଝେଇ ଟ୍ରକରେ ଆସି ଭୂଷଣ ଛକରେ ଓହ୍ଲାଇଥିଲେ ଓ ଚାଲି ଚାଲି ଅନୁଗୁଳ ଆଡେ ଆସୁଥିଲେ । ତେବେ ପୁଲିସ ସମସ୍ତ ୧୦ ଜଣ ଶ୍ରମିକଙ୍କୁ ସ୍ତାନୀୟ କ୍ୱାରେଟାଂଇନ ଶିବିରରେ ଅବସ୍ଥାପିତ କରାଯାଇଥିବା ଜଣାଯାଇଛି ।