ବଲାଙ୍ଗିର : କରୋନା ମହାମାରି ସମୟରେ ସରକାରଙ୍କ ତରଫରୁ ଜନଧନ ଖାତା ଜରିଆରେ ପ୍ରତି ମାସ ମହିଳାଙ୍କ ଏକାଉଣ୍ଟରେ ୫୦୦ ଟଙ୍କା ଜମା କରାଯାଉଛି । ଉକ୍ତ ଟଙ୍କାକୁ ଉଠାଇବା ପାଇଁ ଗାଁର ମହିଳାମାନେ ସଂଘବଦ୍ଧ ହୋଇ ସହରାଞ୍ଚଳର ବ୍ୟାଙ୍କ ଶାଖା ଗୁଡିକୁ ଆସି ଯେଉଁଭଳି ଭାବରେ ଧାଡିବାନ୍ଧି ହଇରାଣ ହେବା ଏକ ଚିରାଚରିତ କଥା ହୋଇଯାଇଛି । ତତ୍ ସହିତ ବୃଦ୍ଧା ଲୋକମାନେ ମଧ୍ୟ ଦୂରଦୂରାନ୍ତରୁ ସରକାରୀ ସହାୟତା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଆସୁଛନ୍ତି । କେତେବେଳେ ବ୍ୟାଙ୍କ ଲିଙ୍କ ଫେଲ୍ ତ କେତେବେଳେ ଆସୁ ଆସୁ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟାହ୍ନ ଭୋଜନ ବିରତି ତାଙ୍କୁ ଟଙ୍କା ଉଠାଇବାରେ ବାଧକ ସାଜୁଛି , ଏଟିଏମ୍ କୁ ଗଲେ ଟଙ୍କା ନାହିଁ ପୁଣି ରବିବାର ବ୍ୟାଙ୍କ ଛୁଟି ରହୁଥିବାରୁ ଗ୍ରାମାଞ୍ଚଳର ଲୋକମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କିଛି ଦିନ ତଳେ ସରକାର ମଧ୍ୟ ସ୍ୱୀକାର କରି କହିଥିଲେ ଯେ ଆଜି ପର୍ଯ୍ୟନ୍ତ ୪୯୨୭ ପଂଚାୟତରେ ବ୍ୟାଙ୍କିଗ୍ ବ୍ୟବସ୍ଥା ଲୋକମାନଙ୍କ ପାଖରେ ଏ ପର୍ଯ୍ୟନ୍ତ ପହଞ୍ôଚ ନାହିଁ । ବ୍ୟାଙ୍କିଗ୍ ବ୍ୟବସ୍ଥା ଗାଁ ମାନଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ନ ଥିବାରୁ ବାଧ୍ୟ ହୋଇ ଲୋକ ସହରର ଏ.ଟି.ଏମ୍ ଏବଂ ବ୍ୟାଙ୍କ ଶାଖା ଜରିଆରେ ଟଙ୍କା ଉଠାଇବାକୁ ବାଧ୍ୟ ହେଉଛନ୍ତି । ଆହୁରି ମଧ୍ୟ ସରକାର ଏବେ ଡିବିଟି ମାଧ୍ୟମରେ ଚାଷୀଙ୍କୁ ସହାୟତା, ଗର୍ଭବତୀମାନଙ୍କୁ ସହାୟତା, ଶ୍ରମିକମାନଙ୍କୁ ସହାୟତା, ସ୍କୁଲ ପିଲାମାନଙ୍କୁ ବୃତ୍ତି ପ୍ରଦାନ କରାଯାଇଛି । କିନ୍ତୁ ଯଥେଷ୍ଟ ବ୍ୟାଙ୍କିଂ ସେବା ଗୁଡିକ ଗାଁ ମାନଙ୍କୁ ନ ଥିବାରୁ ହିତାଧିକାରୀମାନଙ୍କୁ ବ୍ୟାଙ୍କ ଶାଖା ବା ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଇବା ପାଇଁ ବାଧ୍ୟ ହେଉଛନ୍ତି । ସରକାରଙ୍କ ଉକ୍ତ ଅସୁବିଧା ଗୁଡିକୁ ନଜରରେ ରଖି ସୁନିବେଶ ଇଣ୍ଡିଆ ଏବଂ ସୁନିବେଶ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ସାରା ଭାରତର ପ୍ରତି ପଂଚାୟତରେ ଜଣେ ଜଣେ ବ୍ୟାଙ୍କ ସଖୀ ନିଯୁକ୍ତ କରିବା କିଛି ଦିନ ପୂର୍ବେ ସ୍ଥିରକୃତ ହୋଇଥିଲା । ଉକ୍ତ ବ୍ୟାଙ୍କ ସଖୀ ଜିଟାଲ ବ୍ୟାଙ୍କିଂ ସେବା ମାଧ୍ୟମରେ ଗାଁରେ ବାସ କରୁଥିବା ଲୋକମାନଙ୍କ ଘରକୁ ଯାଇ ଜମା ଥିବା ଟଙ୍କା ଉଠାଇବା ସହ ଟଙ୍କାର ନେଣଦେଣ କରିପାରିବେ । ସେଥିପାଇଁ ତାଙ୍କୁ ଗୋଟିଏ ପିଓଏସ୍ ମେସିନ ଯୋଗାଇ ଦିଆଯାଇଛି । ଏଥିରେ ଆହୁରି ମଧ୍ୟ ଅନେକ ସେବାର ସୁଯୋଗ ଗାଁ ଲୋକମାନେ ଉଠାଇ ଯେମିତିକି ମୋବାଇଲ ରିଚାର୍ଜ କରିବା, ଡିଟିଏଚ୍ ରିଚାର୍ଜ , ଇଲେକ୍ଟ୍ରି ବିଲ୍ ପୈଠ କରିବା, ଗ୍ୟାସ ବୁକିଂ କରିବା, ଏପରି ଅନେକ ସେବା ଗୁଡିକ ବ୍ୟାଙ୍କ ସଖୀ ପ୍ରଦାନ କରିବେ । ଉକ୍ତ କାର୍ଯ୍ୟକ୍ରମକୁ ଆଗେଇବା ପାଇଁ ଆଜି ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକର ଜରାସିଂହା ପଂଚାୟତରେ ତୁଲାବତୀ ମେହେରଙ୍କୁ ବ୍ୟାଙ୍କ ସଖୀ ନିଯୁକ୍ତ କରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁନିବେଶ ଇଣ୍ଡିଆର ନିର୍ଦ୍ଦେଶକ ନିଳାଦ୍ରୀ ବିହାରୀ ପଣ୍ଡା, ସବ୍ୟସାଚୀ ପୁଜାରୀ, ଶଙ୍କର ପ୍ରସାଦ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବ୍ୟାଙ୍କ ସଖୀ ଶାଖାକୁ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିଳାଦ୍ରୀ ବିହାରୀ ପଣ୍ଡା ବ୍ୟାଙ୍କ ସଖୀର ଲକ୍ଷ ଏବଂ ଉଦ୍ଦେଶ୍ୟ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ । ତା ପରେ ସବ୍ୟସାଚୀ ପୁଜାରୀ ବ୍ୟାଙ୍କ ସଖୀର ସେବା ଏବଂ ଲୋକମାନଙ୍କୁ ଏହା କିପରି ସହାୟକ ହୋଇପାରିବ ସେ ବିଷୟରେ ଲୋକଙ୍କୁ ବୁଝାଇଥିଲେ ତା ସହିତ ବ୍ୟାଙ୍କିଂ ସେବାରେ ହେଉଥିବା ଅସୁବିଧା ଗୁଡିକର ଉଦାହରଣ ମଧ୍ୟ ଦେଇଥିଲେ । ତେଣୁ ସେହି ଅସୁବିଧା ଗୁଡିକ ବ୍ୟାଙ୍କ ସଖୀ ଜରିଆରେ ଦୂର କରାଯାଇପାରିବ ଏବଂ ଆଗାମୀ ଦିନରେ ବ୍ୟାଙ୍କ ସଖୀ ମାଧ୍ୟମରେ କୃଷିଋଣ, ଗାଡିଋଣ, ବ୍ୟାଙ୍କ ଗୁଡିକର ଖାତା ଖୋଲିବା, ମାଇକ୍ରୋ ଫାଇନାନ୍ସ ସେବା, ଏପରି ଅନେକ ସେବା ଗୁଡିକ ଲୋକମାନଙ୍କୁ ଯୋଗାଇ ଦିଆଯିବ ବୋଲି ନିଜ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିବା ଶଙ୍କର ପ୍ରସାଦ ପାଣିଗ୍ରାହୀ ନିଜର ବକ୍ତବ୍ୟରେ କହିଥିଲେ ଯେ ବ୍ୟାଙ୍କ ସଖୀର ଆଜି ଜରାସିଂହା ଠାରେ ଆରମ୍ଭ କରାଯାଇଛି । ଏହା ସରା ରାଜ୍ୟର ପ୍ରତି ପଂଚାୟତରେ ଜଣେ ଜଣେ ବ୍ୟାଙ୍କ ସଖୀ ନିଯୁକ୍ତ କରାଯିବ । ଯେଉଁମାନେ କି ଉପରୋକ୍ତ ସେବା ଗୁଡିକୁ ଲୋକମାନଙ୍କ ଘରକୁ ଯାଇ ପହଞ୍ଚାଇ ପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ୟାଙ୍କ ସଖୀ ତରଫରୁ ବିପ୍ର ରଣା ପରିଚାଳନା କରିଥିବା ବେଳେ ସୁନିବେଶ ଇଣ୍ଡିଆ ତରଫରୁ ସୁରଥ ପଟେଲ, ପ୍ରିତମ ଠାକୁର ଏବଂ ଅନ୍ୟତମ ସମାଜସେବୀ ଉମାଶଙ୍କର ସିଂ, ଦେଓଗାଁର ବ୍ୟାଙ୍କ ସଖୀ ବିଦ୍ୟୁତଲତା ଖମାରୀ, ସମାଜସେବୀ ଚୈତନ୍ୟ ମେହେର ଏବଂ ସଂଜିବ ସାହୁ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟୁତଲତା ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।