ଵ୍ରହ୍ମପୁର ୨୦/୩- ଜେଏମଏଫସି ଭିଏନା ନାୟକ ବ୍ୟାଙ୍କରୁ ଟଙ୍କା ଠକେଇ କରିଥିବା ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ହଳଦିଆପଦର ସରୋଜିନୀ ସାହୁଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖାରେ ଗେଟବଜ଼ାର ମୁକ୍ତେଶ୍ଵର ବିଲ ସାହିର ସରୋଜିନୀ ସାହୁଙ୍କ ଏକ ଜମା ଖାତା (ସେଭିଂ ଆକାଉଣ୍ଟ) ରହିଛି। ସେହିପରି ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦରର ଅନ୍ୟ ଜଣେ ସରୋଜିନୀ ସାହୁ ନାମକ ମହିଳାଙ୍କ ମଧ୍ୟ ସେଠାରେ ଏକ ଜମା ଖାତା ରହିଥିଲା। ହଳଦିଆପଦରର ସରୋଜିନୀ ସାହୁଙ୍କ ଜମା ଖାତା ହଜି ଯିବାରୁ ସେ ବ୍ୟାଙ୍କରେ ଏକ ସତ୍ୟପାଠ ଦାଖଲ କରିଥିଲେ। ପରେ ସେ ବ୍ୟାଙ୍କ କର୍ମଚାରୀଙ୍କୁ ତାଙ୍କ ଏକାଉଣ୍ଟରେ କେତେ ଟଙ୍କା ରହିଛି ବୋଲି ପଚାରିଥିଲେ। ଉକ୍ତ କର୍ମଚାରୀ ଜଣଙ୍କ ବିଲସାହି ସରୋଜିନୀ ଙ୍କ ଆକାଉଣ୍ଟରେ ଥିବା ୯୮ ହଜାର ୮୦୬ ଟଙ୍କା ଭୁଲବଶତଃ ହଳଦିଆ ପଦର ସରୋଜିନୀ ସାହୁଙ୍କ ଆକାଉଣ୍ଟରେ ଥିବା କହିଥିଲେ। ସେହି ସମୟରେ ହଳଦିଆପଦର ସରୋଜିନୀ ସାହୁ ଚଞ୍ଚକତା କରି ଉକ୍ତ ୯୮ ହଜାର ୮୦୬ ଟଙ୍କା ବ୍ୟାଙ୍କରୁ ଉଠାଇ ନେଇଯାଇଥିଲେ। ପରେ ବିଲ ସାହିର ସରୋଜିନୀ ନିଜ ଜମା ଖାତା ଅପଟୁ ଡେଟ କରିବା ବେଳେ ତାଙ୍କ ଟଙ୍କା ଆକାଉଣ୍ଟରୁ ଗାୟବ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ହଳଦିଆପଦର ସରୋଜିନୀ ଉକ୍ତ ଟଙ୍କା ଫେରସ୍ତ ନକରିବାରୁ ଉକ୍ତ ବ୍ୟାଙ୍କର ମେନେଜର ଏନେଇ ୨୦୦୭ ସେପ୍ଟମ୍ବର ୮ ତାରିଖରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୧୧୦/୦୭ ରେ ଏକ ମାମଲା ରୁଜୁ କରି ହଳଦିଆପଦରର ସରୋଜିନୀ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ପରେ ସେ ସର୍ତ୍ତମୂଳକ ଜାମିନ ପାଇଥିଲେ। ଉକ୍ତ ମାମଲାର ବିଚାରଣା ବେଳେ ୧୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଉପଯୁକ୍ତ ପ୍ରମାଣ ମିଳିନଥିବାରୁ ଜେଏମଏଫସି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ନିତିନଜିତ ପ୍ରଧାନ ଓ ମୁଦୁଲାଙ୍କ ପକ୍ଷରୁ ଆଇନଜୀବୀ ମନୋରଞ୍ଜନ ତ୍ରିପାଠୀ ମକଦ୍ଦମା ପରିଚାଳନା କରିଥିଲେ।
