ଯଦୁମଣି ପାଣିଗ୍ରାହୀ : ଓଡିଶାର ଯଶସ୍ୱୀ ସାରସ୍ୱତ ସ୍ରଷ୍ଟା, ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ସଂଗ୍ରାମୀ, ଓଡିଆ ଭାଷା ସାହିତ୍ୟ ଆନେ୍ଦାଳନର ଅନ୍ୟତମ ପୁରୋଧା,,ସମାଜ ସଂସ୍କାରକ, ‘ବନେ୍ଦ ଉକ୍ରଳ ଜନନୀ’ ଭଳି କାଳଜୟୀ ସଙ୍ଗୀତର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସୃଷ୍ଟି ସମ୍ଭାରକୁ ଅବଲୋକନ କଲେ ତାଙ୍କର ସାରସ୍ୱତ ସ୍ୱତନ୍ତ୍ରତା ଆପେ ଆପେ ବାରି ହୋଇପଡେ । ଓଡିଆ ସାହିତ୍ୟ ଜଗତର ଏହି ଅପ୍ରତିଭ ବେସାଲିସ ସାହିତ୍ୟ ସାଧକଙ୍କ କୃତୀ ଓ କୃତିତ୍ୱକୁ ନିରପେକ୍ଷତାର ମାପକାଠିରେ ମାପିଲେ ତାଙ୍କ ଶାଦ୍ଦିକ ଓ ଆତ୍ମିକ ଦକ୍ଷତାର ପରାକାଷ୍ଠା ଆପେ ଆପେ ବାରି ହୋଇ ପଡେ । ଓଡିଆ ସାହିତ୍ୟର ବିଭିନ୍ନ ଦିଗ ଯଥା କବିତା, ଗଳ୍ପ, ବ୍ୟଙ୍ଗ ରଚନା, ଶିଶୁ ସାହିତ୍ୟ, ନାଟକ, ପ୍ରବନ୍ଧ ତଥା ଉପନ୍ୟାସ ଆଦି ଉପରେ ସେ ସଫଳ ଭାବରେ ଲେଖନୀ ଚାଳନା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାଠକୀୟ ଆଦୃତି ଲାଭ କରି ପାରିଛନ୍ତି ।
ସରଳ ଶଦ୍ଦ ବିନ୍ନ୍ୟାସ, ଗଭୀର ମନନଶୀଳତା, ମନସ୍ତାତ୍ତ୍ୱିକ ଦୃଷ୍ଟିଭଙ୍ଗୀ, ଅପୂର୍ବ ସାଙ୍ଗିତିକତା, ଜାତୀୟତାବୋଧ, କୁସଂସ୍କାର ପ୍ରତି ତୀବ୍ର କଟାକ୍ଷ, ମାନବ ପ୍ରୀତି ସର୍ବୋପରି ଆତ୍ମ ସଚେତନ ମନୋଭାବର ସମ୍ମିଶ୍ରଣରେ ତାଙ୍କର ପ୍ରତ୍ୟକଟି ସୃଷ୍ଟି ଋଦ୍ଧିମନ୍ତ ଓ ଶାଣିତ ହୋଇପାରିଛି । ତାଙ୍କ ରଚିତ କଲ୍ଲୋଳ, କଣାମାମୁଁ , ଚଟକ ଚନ୍ଦ୍ରହାସ ଚମ୍ପୁ, ଫାର୍ସ ସଙ୍ଗୀତ, ଜାତୀୟ ସଙ୍ଗୀତ ଓ ଜୀବନ ସଙ୍ଗୀତ ଆଦି ଓଡିଆ ସାହିତ୍ୟ କ୍ଷେତ୍ରରେ ଏକ ଏକ ମାଇଲ ଖୁଂଟ ସଦୃଶ । ‘ବନେ୍ଦ ଉକ୍ରଳ ଜନନୀ’ ସଙ୍ଗୀତ ଠାରୁ ପୁଣି ବୁଢା ଶଙ୍ଖାରୀ ପରି ଭାବ ଉଦ୍ଦୀପକ ଗଳ୍ପ ପର୍ଯ୍ୟନ୍ତ ଯେ କୌଣସି ମଣିଷର ହୃଦୟକୁ ଆଜି ବି ଆନେ୍ଦାଳିତ କରୁଛି । ସାଂପ୍ରତିକ ମହାମାରୀ କରୋନା କାଳରେ କୋରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଲାଗି ରାଜ୍ୟ ସରକାର ‘ବନେ୍ଦ ଉକ୍ରଳ ଜନନୀ’ ଗାନ କରିବାକୁ ସମସ୍ତଙ୍କୁ ନିବେଦନ କରିବା ଏବଂ ପରେ ପରେ ଏହି ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିବା ତଥା ନବମ-ଦଶମ ଶ୍ରେଣୀ ପାଠ୍ରକ୍ରମରେ ଏହାକୁ ସ୍ଥାନିତ କରିବାର ନିଷ୍ପତ୍ତି ନେବା ଆଦି ରାଜ୍ୟର ଅନେକ କାନ୍ତପ୍ରେମୀଙ୍କ ମନରେ ଖୁସି ଭରି ଦେଇଛି ।
୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖ ମାଣବସା ଗୁରୁବାର ଦିନ ଭଦ୍ରକ ଜଲା ତିହିଡି ବ୍ଲକ ଅନ୍ତର୍ଗତ ତାଳପଦା ଗାଁର ସ୍ୱର୍ଗତ ଭାଗବତ ପ୍ରସାଦ ମହାପାତ୍ର ଓ ସ୍ୱର୍ଗତା ରାଧାରାଣୀ ଦେବୀଙ୍କ ଔରସରୁ ଜନ୍ମଲାଭ କରିଥିବା ସୁପୁତ୍ର ଲକ୍ଷ୍ମୀକାନ୍ତ ମହାପାତ୍ର ନିଜ ମା’ଙ୍କ ପ୍ରେରଣା ଓ ସାହଚର୍ଯ୍ୟ ଲାଭ କରି ଛାତ୍ରବସ୍ଥାରୁ ଲେଖା ଲେଖି ପ୍ରତି ମନୋନିବେଶ କରିଥିଲେ ।
ରେଭେନ୍ସା କଲେଜରେ ପଢୁଥିବା ବେଳେ କଲେଜ ପକ୍ଷରୁ ମଂଚସ୍ଥ ନାଟକରେ ନାରୀ ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ବିସ୍ମିତ କରି ଦେଇଥିଲେ । ଅଭିନୟ ପ୍ରତି ତାଙ୍କର ଏତାଦୃଶ ପ୍ରଗାଢ ଆକର୍ଷଣ ତାଙ୍କୁ ବୋଧେ ଭବିଷ୍ୟତରେ ଏକ ଥିଏଟର ପାର୍ଟି ‘ଗୋପୀନାଥ ନାଟ୍ୟ ସମାଜ’(ନିଜ କୁଳ ଦେବତା ଗୋପୀନାଥଙ୍କ ନାଁରେ) ଗଠନ କରିବାକୁ ପ୍ରେରଣା ଦେଇଥିଲା । ବହୁ ଘାତ ପ୍ରତିଘାତ ଓ ଅଭାବ ଅନଟନ ମଧ୍ୟରେ ସେ ଏହାକୁ ବଂଚାଇ ରଖିବାକୁ ଚେଷ୍ଟା କରିଥିଲେ । ନିଜେ ବିଭିନ୍ନ ପୌରାଣିକ ଓ ଐତିହାସିକ କଥାବସ୍ତୁ ସମ୍ବଳିତ ନାଟକ ଲେଖି ଏହି ଥିଏଟର ପାର୍ଟି ମାଧ୍ୟମରେ ଗ୍ରାମାଂଚଳରେ ମଂଚସ୍ଥ କରାଇ ନାଟ୍ୟକଳାକୁ ନବଜୀବନ ପ୍ରଦାନ କରିଥିଲେ ।
କାନ୍ତକବିଙ୍କ ପଂଚାମୃତ, ହନୁମନ୍ତ ବସ୍ତ୍ରହରଣ ଓ ଅଫିମ ଲୀଳା ଭଳି ବ୍ୟଙ୍ଗାତ୍ମକ ନାଟକ, ଲାଳିକା ଓ ଚହଟ ଚନ୍ଦ୍ରହାସ, ପଣ୍ଡିତଙ୍କ ପ୍ରେମ ଭଳି ହାସ୍ୟ ରସାତ୍ମକ ଗଳ୍ପରୁ ତାଙ୍କ ଦକ୍ଷତା ଓ ନିର୍ଭିକତାର ପରିଚୟ ମିଳିଥାଏ । ଏସବୁ ଲେଖାରେ ସେ ତକ୍ରାଳୀନ ସାମାଜିକ ବିଧିବ୍ୟବସ୍ଥାରେ ଥିବା ଦୋଷ ତ୍ରୁଟିକୁ ତୀବ୍ରଭାବେ କଟାକ୍ଷ କରିବା ସହ ଏକ ସମ୍ଭାବ୍ୟ ଓ ପରିବର୍ତ୍ତନମୁଖୀ ଆଶାର ବାର୍ତ୍ତା ଦେଇଥିଲେ । କାନ୍ତକବି ନିଜ କୁଳଦେବତାଙ୍କ ନାଁରେ ଗୋପୀନାଥ ପ୍ରିଟିଂପ୍ରେସ ପ୍ରତିଷ୍ଠା କରିବା ସହ ‘ଡଗର’ ନାମକ ଏକ ସମାଲୋଚନା ମୂଳକ ପତ୍ରିକା ପ୍ରକାଶ କରିଥିଲେ । ଏହା ମାଧ୍ୟମରେ ସେ ବିପର୍ଯ୍ୟୟମୁଖୀ ସମାଜକୁ ସଜାଡିବାରେ ପ୍ରୟାସ ଜାରି ରଖିଥିଲେ ।
ବିଧିର ବିଡମ୍ବନା । ଦୁର୍ଭାଗ୍ୟବଶତଃ ସେ ଯୁବାବସ୍ଥାରେ ମାରାତ୍ମକ କୁଷ୍ଠରୋଗରେ ଶିକାର ହୋଇ ପଙ୍ଗୁ ହୋଇ ଯାଇଥିଲେ ସତ ହେଲେ ଲେଖନୀ ଚାଳନାରୁ କ୍ଷାନ୍ତ ହୋଇନଥିଲେ । ବରଂ ରୋଗଶୋକର ଘନଘଟା ତାଙ୍କ ଲେଖନୀକୁ ଅଧିକ ଶାଣିତ ଓ ନିର୍ଭିକ କରିଥିଲା । ତାଙ୍କ ଲେଖନୀରୁ ଝରି ପଡିଥିଲା ‘ଜୀବନ ସଙ୍ଗୀତ’ ଭଳି କାଳଜୟୀ ସଙ୍ଗୀତର ମଧୁମୟ ଧାରା । ବ୍ୟାସ କବି ଫକୀରମୋହନଙ୍କ ଭଳି ଲକ୍ଷ୍ମୀକାନ୍ତ ବି ରୋଗଶୋକରେ ଜର୍ଜରିତ ଥିବା ବେଳେ ହିଁ ଶ୍ରେଷ୍ଠ ଓ ସଫଳ ଲେଖାମାନ ସୃଷ୍ଟି କରି ପାରିଥିଲେ । ତାଙ୍କ ରଚିତ ଜୀବନ ସଙ୍ଗୀତ ହେଉଛି ତାଙ୍କ ଜୀବନାନୁଭୂତିର ସୁଗନ୍ଧି ଫସଲ । ନିଜକୁ ସଂସାର ବନ୍ଧନରୁ ମୁକ୍ତ କରି ଅଭିମାନୀ ଲକ୍ଷ୍ମୀକାନ୍ତ ଜଣେ ଅନୁଭବୀ ମଣିଷର ଆସ୍ପର୍ଦ୍ଧା ନେଇ ତାଙ୍କୁ ଜୀବନ ଓ ମୃତୁ୍ୟର ଦୋଛକିରେ ଛିଡା କରାଇଥିବା ସ୍ରଷ୍ଟାଙ୍କ ଅବିଚାରକୁ ଖୋଲାଖୋଲି ଆହ୍ୱାନ କରି ଯାଇଛନ୍ତି । ସେହିପରି କାନ୍ତକବିଙ୍କର ଅନେକ ଭାବ ସଙ୍ଗୀତ ରହିଛି ଯାହାକୁ ଶୁଣିଲେ ଈଶ୍ୱରଙ୍କ ପ୍ରତି ତାଙ୍କ ମନରେ ଥିବା ପ୍ରଗାଢ ଭକ୍ତି ଓ ଭଲପାଇବା ବାରି ହୋଇ ପଡେ । ନିର୍ଭିକ ଓ ନିର୍ବିକାର ଲକ୍ଷ୍ମୀକାନ୍ତଙ୍କ ସିଦ୍ଧି ଓ ସାଧନାର ପ୍ରତ୍ୟକଟି କ୍ଷେତ୍ରଥିଲା ଆକାଶ ପରି ପ୍ରଶସ୍ତ ଓ ସମୁଦ୍ରପରି ପରିବ୍ୟାପ୍ତ ।
ଓଡିଆ ସାହିତ୍ୟ ଜଗତର ଅନ୍ୟାନ୍ୟ ସାଧକଙ୍କ ଭଳି କାନ୍ତକବିଙ୍କ ରଚନା ଶୈଳୀ ଦୁଇଟି ଦିଗରୁ ସ୍ୱତନ୍ତ୍ର ବିବେଚିତ ହୋଇଥାଏ । ପ୍ରଥମତଃ ତକ୍ରାଳୀନ ସାମାଜିକ ଜୀବନରେ ରହିଥିବା ଦୋଷତ୍ରୁଟିକୁ ସେ ବ୍ୟଙ୍ଗାତ୍ମକ ଓ ସମାଲୋଚନାଧର୍ମୀ ଲେଖା ମାଧ୍ୟମରେ ସୁଧାରିବାକୁ ପ୍ରୟାସ କରିଥିଲେ । ଦ୍ୱିତୀୟତଃ ଦୁଃଖ, କାରୁଣ୍ୟ ଓ ବିଷାଦ ଭଳି ଆବେଗ ଓ ଅନୁଭୂତିକୁ ବି ସେ ବ୍ୟଙ୍ଗାତ୍ମକ ଶୈଳୀରେ ପରିପ୍ରକାଶ କରି ପାରୁଥିଲେ । ଯାହାକି ଓଡିଆ ସାହିତ୍ୟରେ ଏକ ବିରଳ ଅଥଚ ବ୍ୟତିକ୍ରମ କହିଲେ ଭୁଲ ହେବନି । ଯଥାର୍ଥରେ କାନ୍ତକବି ଓଡିଆ ସାହିତ୍ୟର କାନ୍ଥ ସଦୃଶ ଥିବା ବେଳେ କାବ୍ୟ ଜଗତରେ କାନ୍ତ ହୋଇଥିଲେ । କାନ୍ତକବି ସ୍ମାରକୀ ଡାକଟିକେଟ ପ୍ରଚଳନ କରିବା ଓ ତାଙ୍କ ଅପ୍ରକାଶିତ ଲେଖା ପ୍ରକାଶନ ଦିଗରେ ସରକାରୀ ସ୍ତରରେ ପ୍ରୟାସ କରାଯିବା ଉଚିତ୍ତ୍ତା ସେହିପରି ତାଙ୍କ ଜନ୍ମମାଟି ଭଦ୍ରକରେ ତାଙ୍କ ସ୍ମୃତି ରକ୍ଷା ଦିଗରେ ଯେଉଁସବୁ କାର୍ଯ୍ୟ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ସେସବୁ ଯଥାଶିଘ୍ର କାର୍ଯ୍ୟକାରୀ କରାଯିବା ଉଚିତ୍ । କାନ୍ତକବିଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କୁ ଏ ଓଡିଆ ଜାତିର କୋଟି କୋଟି ପ୍ରଣାମ ।