ବାଲିପାଟଣା ୦୧/୦୪ : ବାଲିପାଟଣା ଥାନା ଅନ୍ତର୍ଗତ ରାଜସ ଗ୍ରାମ ପଂଚାୟତ ପ୍ରଧାନ ସାହିରେ ଧୂଆଁ ଗଦାରୁ ନିଆଁ ଲାଗି ପାଞ୍ଚ ବଖରା ଜଳି ଗଲା। ଏହି ଅଗ୍ନକାଣ୍ଡରେ ଦୁଇ ଗାଈ ପଘାରେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଆଉ ପାଞ୍ଚ ଗାଈ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତ୍ରରେ ସ୍ବାଇଁ ଘର ପରିବାରଙ୍କ ଘରେ ହଠାତ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ଚାରିଆଡ଼େ ବ୍ୟାପୀ ଯାଇଥିଲା। କିଛି ବୁଝିବା ଆଗରୁ ନିଆଁ ରେ ପୋଡି ହୋଇ ଦୁଇ ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ପଘା ଛିଣ୍ଡାଇ ୫ ଗାଈ ନିଆଁ ମୁହଁରୁ ଅଧ ଦଗ୍ଧ ଅବସ୍ଥାରେ ବାହାରି ଆସିଛନ୍ତି। ଶତ୍ରୁଘ୍ନ ସ୍ବାଇଁ, ଲକ୍ଷ୍ମଣ ସ୍ୱାଇଁ,ଓ ସନାତନ ସ୍ବାଇଁ ଙ୍କର ୩ବଖରା ଗୁହାଳ,ଓ ଦୁଇ ବଖରା ଚଳିବା ଘର ପୋଡି ପାଉଁଶ ହୋଇଯାଇଛି। ଗୁହାଳ ଘରେ ଦିଆ ଯାଇଥିବା ଧୂଆଁ ରୁ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଅଗ୍ନି ବିପନ୍ନମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି।
