ବାଲିପାଟଣା ୧୮/୧୧ : ବାଲିପାଟଣା ଥାନା ଅନ୍ତର୍ଗତ ଗିରିଙ୍ଗୋ ଛକ ନିକଟରେ ଥିବା ଟିଆରସି ରେଷ୍ଟୁରାଣ୍ଟରେ ଖୋଲା ହୋଇଥିବା ନୂଆ ଠିପି ଖୋଲା ମଦ ଦୋକାନକୁ ସ୍ଥାନୀୟ ଅଞ୍ଚଳର ମହିଳାମାନେ ବିରୋଧ କରିବା ସହ ଦୋକାନକୁ ଘେରାଉ କରିଥିଲେ ।
ଆଜି ପୂର୍ବାଂନ ୧୧.୩୦ ରୁ ପମ୍ପାଲୋ, ଅଠାନ୍ତର, ଓ ଗାରେଡିପାଞ୍ଚଣ ଗ୍ରାମ ପଞ୍ଚାୟତର ମହିଳା ମହାସଂଘର କର୍ମକର୍ତ୍ତାମାନେ ପ୍ରତିବାଦ କରିବା ସହ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ।ମହିଳାସଂଘ ର କର୍ମକର୍ତ୍ତା କୁହନ୍ତି ଯଦି ଆମ ଅଞ୍ଚଳରେ ଠିପି ଖୋଲା ମଦ ଦୋକାନ ଖୋଲାଯାଏ ,ତେବେ ଏହି ଅଞ୍ଚଳର ଆଇନି ଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିବ।ଦୈନିକ ଚୋରୀ, ରାହଜାନୀ,ହତ୍ୟା, ମଡର ପରି ଘଟଣା ଘଟିବ। ସହିତ ଆଖପାଖ ଅଞ୍ଚଳର ଯୁବକଯୁବତୀ, ବୃଦ୍ଧ ସମସ୍ତେ ମଦ ପିଇ ମାତାଲ ହୋଇ ବୁଲିବେ।ତେଣୁ ଏହି ମଦ ଦୋକାନକୁ ବିରୋଧ କରି ମହିଳା ମହାସଂଘର ଶତାଧିକ ମହିଳା ମଦ ଦୋକାନକୁ ଘେରାଉ କରିଥିଲେ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଚିଠି ନ ୬୯/୨୦୨୨-୨୦୨୩,ରେ ମାଲିକ ଅବକାଶ ରାଉଳ, ପ୍ଲଟ ନ୧୪୪୩/୧୯୯୩,ଖାତା-୫୨୮/୩୪୧,ମୌଜା ଗିରିଙ୍ଗ, ମାତ୍ର ଏକ ବର୍ଷ ପାଇଁ ୧୪ ଲକ୍ଷ ଟଙ୍କା ବାର୍ଷିକ ପାଉଣା ରେ ,ଟିଆରସି ନାମରେ ଏକ ଠିପି ଖୋଲା ମଦ ଦୋକାନ ସହ ରେଷ୍ଟୁରାଣ୍ଟ ଖୋଲି ବ୍ୟବସାୟ ଆରମ୍ଭ କରିଥିଲେ।ଏହି କିଛି ଦିନହେବ ମହିଳା ମହାସଂଘ ପକ୍ଷରୁ ବାରମ୍ବାର ଦୋକାନ ଆଗରେ ଧାରଣା ଦେବା ସହ ରାସ୍ତା ଅବରୋଧ ମଧ୍ୟ କରାଯାଇଥିଲା । କିନ୍ତୁ କୌଣସି ସୁଫଳ ମିଳିନଥିଲା, ଫଳରେ ଆଜି ପୁଣି ମହିଳା ମହାସଂଘ ପକ୍ଷରୁ ଏକ ରାଲୀ ସରିପୂର ଛକ ଠାରୁ ବାହାରି ମଦ ଦୋକାନ ପଯ୍ୟନ୍ତ ଯାଇଥିଲା। ବଡ଼ ପରିତାପର ବିଷୟ ଯେ ଏହି ରାଲିରେ ଛୋଟ ଛୋଟ ଛୁଆ ମଧ୍ୟ ସାମିଲ ହୋଇଥିଲେ। ଠିପି ଖୋଲା ମଦ ଦୋକାନ ନିକଟରେ ମହିଳାମାନେ ଏକାଠି ହୋଇ ଧାରଣା ଦେଇଥିଲେ। କେହି ଅଧିକାରୀ ନ ଆସିବାରୁ ମହିଳାମାନେ ଅପରାହ୍ନ ୨.୩୦ ମିନିଟିରେ ଧାରଣା ରୁ ଉଠିଥିଲେ।
