ବାଲିପାଟଣା : ୨୦୧୯ ମେ ମାସର ସେ ପ୍ରଳୟଙ୍କରୀ ବାତ୍ୟା ଫନୀକୁ ପ୍ରାୟ ପାଞ୍ଚ ବର୍ଷ ବିତିଲା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା ବିପନ୍ନଙ୍କ ଥଇଥାନ ପାଇଁ ବିପୁଳ ସଂଖ୍ୟାରେ ଘର ଯୋଗାଇ ଦିଆଗଲା। ଏପରିକି ପରିବାର ଗୋଟିକେ ଦୁଇଟା ରୁ ପାଞ୍ଚଟା ପର୍ଯ୍ୟନ୍ତ ଘର ଫୁଲି କୋଲାପ୍ସ୍ ଦେଖାଇ ରାଜସ୍ବ ଅଧିକାରୀମାନେ ମନ ମୁଖୀ ଘର ପ୍ରଦାନ କରିଥିଲେ। ଆହୁରି ଅନେକ ଘର ନ ଦେଇ ପାରିବାରୁ ଫେରିଯାଇ ଥିଲା।ହେଲେ ଦୀନହୀନ ଦିନ ମଜୁରିଆ ଫକୀର ଚରଣ ଦାଶଙ୍କୁ ସମସ୍ତେ ଭୁଲିଗଲେ। କେତେ କାକୁତି ବିନତୀ ହୋଇ ସମସ୍ତଙ୍କୁ କହି ନିରାଶ ହୋଇଥିଲେ। କାରଣ ଫକୀରଙ୍କ ପାଖରେ ଅର୍ଥ ବଳ ନଥିଲା। ଯାହା ଫଳରେ ଗରିବ ଖଟିଖିଆ ଦିନ ମଜୁରିଆ ଫକୀର ଶେଷରେ “ଫକୀର”ହୋଇଗଲା। ଚାହୁଁ ଚାହୁଁ ପାଞ୍ଚବର୍ଷ ବିତିଗଲା , ଗୋଟିଏ ସରପଞ୍ଚ ସମୟ ସୀମା ପରେ ଏବେ ଆଉ ଜଣେ ସରପଞ୍ଚ ସୋମନାଥ ଖଟେଇ (କାଳୁ) ଦାୟୀତ୍ବ ଗ୍ରହଣ କରିଥିଲେ।କିନ୍ତୁ ସେ ଫକୀରଙ୍କ ପରିସ୍ଥିତିକୁ ହୃଦୟଙ୍ଗମ କରି ପ୍ରଶାସନ ନିକଟରେ ବାରମ୍ବାର ଘର ଟିଏ ପାଇଁ ଦାବି କରି ଆସୁଛନ୍ତି। ଏ ହେଉଛି ରାଜଧାନୀ ଭୁବନେଶ୍ଵର ନାକତଳ ବାଲିପାଟଣା ବ୍ଲକ ଅନ୍ତର୍ଗତ ମକୁନ୍ଦାସପୁର ପଂଚାୟତର ମକୁନ୍ଦାସପୁର ଗ୍ରାମର ଘଟଣା। ଫକୀର ଚରଣ ଦାଶ (୬୯ ବର୍ଷ ), ତାଙ୍କର ଆଧାର ନଂ ୩୫୮୧୧୪୭୮୮୮୬୨,ପରିବାର କହିଲେ ତିନି ଜଣ,ପତ୍ନୀଙ୍କର ମୃତ୍ୟୁ ଘଟିଛି, ଦୁଇ ପୁଅ ରଶ୍ମିରଞ୍ଜନ ଓ ବିଶ୍ବରଂଜନ ସହ ସ୍ଥାନୀୟ ମନ୍ଦିରରେ ଦିନ କାଟୁଛନ୍ତି। ଘର ଡିହ ଛାଡ଼ି ଦେଲେ ଜମିବାଡ଼ି ବୋଲି କିଛି ନାହିଁ। ଠାକୁର ମନ୍ଦିର ସେବା ନିମିନ୍ତ ପ୍ରଜାମାନଙ୍କ ଠାରୁ ମିଳିଥିବା ସ୍ୱଳ୍ପ ପରିମାଣର ଜମିକୁ ଚାଷ କରି ଜୀବିକା ନିର୍ବାହ କରନ୍ତି। ବଡ଼ ପୁଅ ଗୋଟିଏ ପାନ ଦୋକାନ ଭଡ଼ାରେ କରିଛି। ପ୍ରଳୟଙ୍କରୀ ବାତ୍ୟାରେ ବାସ ଗୃହ ଖଣ୍ଡିକ ମାଟିରେ ମିଶି ଗଲା। ସେହଦିନଠାରୁ ଗାଁ ମନ୍ଦିର ହୋଇଗଲା ରାତ୍ରୀ ରହଣୀ ଘର। ପିଲାମାନେ ଯୁବକ, ଯେଉଁଠି ପାଇଲେ ସେଠୀ ଜୀବନ ଅତିବାହିତ କରୁଛନ୍ତି। ଏ ବିଷୟରେ ବାରମ୍ୱାର ବାଲିପାଟଣା ବ୍ଲକ ଓ ଜିଲ୍ଲ।ପାଳଙ୍କ ଜନଶୁଣାଣୀ ରେ ଅଭିଯୋଗ କରି କୌଣସି ସୁଫଳ ମିଳି ପାରି ନାହିଁ। ନୂତନ ଜିଲ୍ଲାପାଳ ଚଞ୍ଚଳ ରଣା ଜଣେ ଦକ୍ଷ ପ୍ରଶାସକ ବୋଲି ସାଧାରଣରୁ ଶୁଣି ଗଲା ୨୯-୦୭-୨୦୨୪ ତାରିଖ ଅଭିଯୋଗ ନଂ ୨୫୧୯୯ ରେ ଅଭିଯୋଗ ପ୍ରକୋଷ୍ଠକୁ ଆସି ତାଙ୍କର ଦାବି ପତ୍ର ପ୍ରଦାନ କରିଛନ୍ତି। ଦେଖାଯାଉ ଫକୀରକୁ ପକା ଘର ଟିଏ ମିଳିବା ନା,ଏମିତି ସବୁଦିନ ପରି ଫକୀର ହୋଇ ବାର ଦୁଆର ବୁଲିବ !
