ବାଲିପାଟଣା : ବାଲିପାଟଣା ଥାନା ଅର୍ନ୍ତଗତ ଇନ୍ଦୋଳ କୁଶିଆରୀ ଗ୍ରାମରେ ଏକ ବୁଲା କୁକୁରକୁ ନେଇ ଜଗନ୍ନାଥ ବେହେରା ଓ ଧଡ଼ିଆ ଭୋଳ (ନିରଞ୍ଜନ)ଙ୍କ ମଧ୍ୟରେ ଯୁକ୍ତି ତର୍କର ସୂତ୍ରପାତ ହୋଇଥିଲା। କିଛି ସମୟ ପରେ ଏହା ଉଗ୍ର ରୂପ ନେଇଥିଲା, ଭୋଳ ପରିବାର ସଂଘବଦ୍ଧ ଭାବରେ ମାରଣାସ୍ତ୍ର ଧରି ଜଗନ୍ନାଥକୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ବାଲିପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି। ତାଙ୍କ ମୁଣ୍ଡ, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି।ଖବର ପାଇ ବାଲିପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଦୀର୍ଘ ୨୦ ବର୍ଷ ତଳେ ଜମିବାଡ଼ିକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ମଝିରେ ମଝିରେ ଛୋଟ ଛୋଟ କଥାକୁ ନେଇ ଦୁଇ ପରିବାର ମଧ୍ୟରେ କଥା କଟାକଟି ହେଉଥିଲା। ଆଜି ସକାଳ ୮.୩୦ ରେ ଜଗନ୍ନାଥ ଗାଧୋଇବା ବେଳେ ଏକ ବୁଲା କୁକୁର ତାଙ୍କ ପାଣି ବାଲଟି କୁ ଛୁଇଁ ଦେଇଥିଲା। ସେ କୁକୁରଟିକୁ ଗାଳି ଗୁଲଜ କରିବାରୁ, ଭୋଳ ପରିବାର ବାହାରି ଜଗନ୍ନାଥକୁ ଜାତି ଧର୍ମକୁ ନେଇ ଗାଳି କରିଥିଲେ। ଧଡ଼ିଆ ନିଜ ପରିବାର ଲୋକ ଚଗଲା ଭୋଳ, ଭଗଲା ଭୋଳ, ଟୁଲିଆ ଭୋଳ ଙ୍କୁ ଡ଼ାକି ଦେଇଥିଲେ। ସାତରୁ ଆଠ ଜଣ ଲୁହା ରଡ଼, ଠେଙ୍ଗା ଧରି ସଂଗବଦ୍ଦ ଭାବରେ ଜଗନ୍ନାଥ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି।ମୁଣ୍ଡ, ହାତ, ଗୋଡରେ ଗଭୀର ଆଘାତ ଲାଗିଛି।ଖବର ପାଇ ଜଗନ୍ନାଥ ବଡ଼ ଭାଇ ବାବୁଲାଲ ବେହେରା ଓ ଘନଶ୍ୟାମ ବେହେରା ଜଗନ୍ନାଥଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ଯ ଆକ୍ରମଣର ଶିକାର ହୋଇଛନ୍ତି। ଏମାନେ ସମସ୍ତଙ୍କୁ ପୋଲିସ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରି ତଦନ୍ତ ଚଳାଇଛି।